ନାଁ ରଖିଲା ରାଜମିସ୍ତ୍ରୀ ପୁଅ । ମେଧାବୀ ଛାତ୍ର ସମ୍ବିତଙ୍କ ସ୍ୱପ୍ନକୁ ରୋକିପାରିଲାନି ଆର୍ଥିକ ଅନଟନ । ମାଟ୍ରିକ ପରୀକ୍ଷାରେ ଚାନ୍ଦବାଲି ବ୍ଲକର ହେଲେ ଟପ୍ପର, ଡାକ୍ତର ହେବାକୁ କରିଛନ୍ତି ଶପଥ ।

293

କନକ ବ୍ୟୁରୋ: ଘରେ ନାହିଁ ନଥିବା ଆର୍ଥିକ ଅନାଟନ, ହେଲେ ମେଧାବୀ ଛାତ୍ର ସମ୍ବିତଙ୍କ ଅଧ୍ୟବସାୟ ତାଙ୍କୁ ରୋକିପାରିନି । ଚାନ୍ଦବାଲି ବ୍ଲକରେ ମାଟ୍ରିକ ଟପ୍ପର ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସମ୍ବିତ । ବାପା ରାଜମିସ୍ତ୍ରୀ, ରୋଗୀଣା ମାଆ । ପରିବାରର ଗୁଜରାଣ ମେଂଟାଇବା କଷ୍ଟକର ହେଉଥିବା ବେଳେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବହୁ କଷ୍ଟ କରନ୍ତି ପରିବାର । ହେଲେ ମେଧାବୀ ଛାତ୍ର ସମ୍ବିତଙ୍କ ଲକ୍ଷ୍ୟ, ସେ ଭଲ ପାଠ ପଢ଼ିବେ, ଡ଼ାକ୍ତର ହୋଇ ଗରିବଙ୍କ ସେବା କରିବେ ।

ନୁଆଁଣିଆ ଚାଳ ଘର, ବହୁ କଷ୍ଟରେ ଚଳେ ପରିବାର । ତେବେ ଅଭାବ ଅନାଟନ ହାର ମାନିଛି ଏହି ମେଧାବୀ ଛାତ୍ରଙ୍କ ପ୍ରତିଭା ଆଗରେ । ମାଟ୍ରିକ ପରୀକ୍ଷାରେ ଚାନ୍ଦବାଲି ବ୍ଲକରେ ଟପ୍ପର ହୋଇଛନ୍ତି ଭାଟପଡ଼ା ଦୋଳମଣ୍ଡପ ଉଚ୍ଚ ବିଦ୍ୟାଳୟର ଛାତ୍ର ସମ୍ବିତ ମଲ୍ଲିକ । ଦିନରେ ଘରକାମ କରିବା ସହିତ ରୋଗୀଣା ମାଆର ସେବା କରୁଥିବା ବେଳେ ରାତିରେ ପାଠ ପଢ଼ିଥାନ୍ତି ସେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଘରେ ଦାଦା, ଖୁଡ଼ୀଙ୍କ ପ୍ରେରଣାରେ ସଫଳତା ପାଇଥିବା କହିଛନ୍ତି ସମ୍ବିତ ।

ଚାନ୍ଦବାଲି ବ୍ଲକ ମହୁଲିଆ ଗାଁରେ ସମ୍ବିତଙ୍କ ଘର । ବାପା ଶରତ ମଳ୍ଲିକ ରାଜମିସ୍ତ୍ରୀ କାମ କରୁଥିବା ବେଳେ ବହୁ କଷ୍ଟରେ ୫ପ୍ରାଣୀ କୁଟୁମ୍ବଙ୍କ ଚଳାଇଥାନ୍ତି । ଏପଟେ ରୋଗୀଣା ମାଆ, ବାଡିରେ ପରିବାଚାଷ କରି ପରିବାର ପ୍ରତିପୋଷଣରେ ହାତ ବଢ଼ାଇଥାନ୍ତି । ପୁଅର ସଫଳତା ଦେଖି ବେଶ ଖୁସି ଅଛନ୍ତି ବାପାମାଆ । ତେବେ ପୁଅର ପାଠପଢ଼ା ପାଇଁ ଟଙ୍କା କେଉଁଠୁ ଆଣିବେ ଏହି ଚିନ୍ତାରେ ପରିବାର ।

ପିଲାଦିନରୁ ଅତ୍ୟନ୍ତ ମେଧାବୀ ସମ୍ବିତ । ପଂଚମରେ ବୃତି, ଅଷ୍ଟମରେ ଏନଆରଟିଏସ ବୃତି ପାଇଥିଲେ ସେ । ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି । ଡାକ୍ତର ହୋଇ ଗରିବଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା ସମ୍ବିତଙ୍କ ଉଚ୍ଚଶିକ୍ଷା ପାଇଁ ଏବେ ବାଧକ ହୋଇଛି ଅର୍ଥ ।