କନକ ବ୍ୟୁରୋ : ମାସ୍କ ଓ ହେଲମେଟ ଚେକିଂ ସମୟରେ ଯୁବକଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ । ଏପରିକି ପୋଲିସ ମାଡରେ ଯୁବକଙ୍କର ଆଖି ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲି ବାରିପଦା ସହର ପାଲବଣି ଗୋଲେଇ ନିକଟରେ ୧୦ଟା ସମୟରେ ମାସ୍କ ଏବଂ ହେଲମେଟ ଚେକିଂ କରୁଥିଲା ପୋଲିସ ।
ଏହି ସମୟରେ ବାରିପଦା ସହରର ୱାର୍ଡ ନଂ ୨୫ ଅଂଚଳରେ ରହୁଥିବା ଜଣେ ଦିନ ମଜୁରିଆଙ୍କ ପୁଅ ସିପୁ ଦାସ ଔଷଧ ଆଣିବାକୁ ପାଖ ଦୋକାନକୁ ଯାଉଥିବାବେଳେ ପୋଲିସ ହାବୁଡରେ ପଡିଥିଲେ । ପୋଲିସ ତାଙ୍କୁ ଅଟକ ରଖିଥିଲା । ତାପରେ ଜଣେ କନେଷ୍ଟବଳ ଆସି ତାଙ୍କ ମୁଣ୍ଡକୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆଉ ଠେଙ୍ଗାଟି ତାଙ୍କ ଆଖିରେ ଖୁବଜୋରରେ ବାଜିଥିଲା ।
ଘଟଣାସ୍ଥଳରେ ତାଙ୍କ ଆଖିରୁ ରକ୍ତ ମଧ୍ୟ ବାହାରିଥିବା ଆକ୍ରମଣର ଶିକାର ଯୁବକ କହିଛନ୍ତି । ଏନେଇ ଥାନା ଅଧିକାରୀ କହିଛନ୍ତି, ଡ୍ୟୁଟି ସମୟରେ ଏଭଳି କାଣ୍ଡ ଘଟାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଏବଂ ଆହତ ଯୁବକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।