‘ମୁଁ ମଲା ପରେ ମୋ ଚିତାରେ ମୁଖାଗ୍ନି ଦେବେ ନାହିଁ ସ୍ୱାମୀ’ ସୁଇସାଈଡ଼ ନୋଟରେ ଏଭଳି ଲେଖି ଆତ୍ମହତ୍ୟା କଲେ ପତ୍ନୀ

934

କନକ ବ୍ୟୁରୋ : ସାତ ଜନମର ସାଥି ହେବାକୁ ଦିନେ ଶପଥ ଦେଇଥିବା ସ୍ୱାମୀଙ୍କର ନିର୍ୟ୍ୟାତନା ଏତେ ଅସହ୍ୟ ହେଲା ଯେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ ପତ୍ନୀ । କେବଳ ଦୁନିଆ ଛାଡି ଚାଲିଗଲେନାହିଁ, ବରଂ ନିଜ ମୃତ୍ୟୁ ପୂର୍ବର ଶେଷ କଥା ବି କହିଦେଇଗଲେ । ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାଈଡ଼ ନୋଟରେ ପତ୍ନୀ ଲେଖିଥିଲେ ଯେ ମୃତ୍ୟୁ ପରେ ସ୍ୱାମୀଙ୍କୁ ମୋ ମୃତଦେହ ଦେଖାଇବ ନାହିଁ କିମ୍ବା ଅନ୍ତିମ ସଂସ୍କାରରେ ସାମିଲ କରିବ ନାହିଁ ।

ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଇନ୍ଦୋରର ଏରୋଡ୍ରମ ଅଂଚଳର ପ୍ୟାଲେସ କଲୋନୀରେ ରହୁଥିବା କଳ୍ପନା ନାମଦେବଙ୍କର ବିବାହ ପାଞ୍ଚ ବର୍ଷ ତଳେ ବିଦିସାରେ ରହୁଥିବା ନୀଲେସଙ୍କ ସହ ହୋଇଥିଲା । ବିବାହର କିଛି ମାସ ସବୁକିଛି ଠିକଠାକ ଚାଲିଥିବାବେଳେ ୪ ବର୍ଷ ହେଲା ସ୍ୱାମୀଙ୍କ ମୁଣ୍ଡରେ ଯୌତୁକ ରାକ୍ଷସ ସବାର ହୋଇଥିଲା । ବାପଘରୁ ଯୌତୁକ ତାଙ୍କ ଆଣିବାକୁ କହି କଳ୍ପନାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଏହା ପରେ ଥାନାରେ ମାମଲା ପହଞ୍ଚିଥିଲା ଓ ଉଭୟ ସ୍ୱାମୀ-ସ୍ତ୍ରୀ ଅଲଗା ରହିଥିଲେ । ତେବେ ଏହା ପରେ ବି ସ୍ୱାମୀ ବାରମ୍ବାର ଫୋନ କରି କଳ୍ପନାଙ୍କୁ ମାନସିକ ନିର୍ୟ୍ୟାତନା ଦେଉଥିଲେ ।

ଆଉ ଏଥିରେ ଭାଙ୍ଗିପଡି କଳ୍ପନା ଶେଷରେ ଆତ୍ମହତ୍ୟାର ବାଟ ବାଛିନେଇଥିଲେ । କଳ୍ପନାଙ୍କ ଆତ୍ମହତ୍ୟା ପରେ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ସୁଇସାଈଡ଼ ନୋଟ ମଧ୍ୟ ଜବତ କରିଛି ।ଏଥିରେ କଳ୍ପନା ଲେଖିଛନ୍ତି ଯେ,’ମୁଁ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛି, ମୃତ୍ୟୁ ପରେ ସ୍ୱାମୀଙ୍କୁ ଶେଷ ଦର୍ଶନ କରିବାକୁ ଦେବ ନାହିଁ, ସ୍ୱାମୀଙ୍କୁ ମୋର ମୁଖାଗ୍ନି ଦେବାକୁ ଦେବନାହିଁ, ଟଙ୍କା ଯଦି ମଣିଷପଣିଆଠାରୁ ବଡ ହୋଇନଥାନ୍ତା ତେବେ କେତେ ଭଲ ହୋଇଥାନ୍ତା’ ।