କନକ ବ୍ୟୁରୋ : ବ୍ରିଟେନର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ରାଣୀ ଏଲିଜାବେଥ-୨ଙ୍କୁ ହତ୍ୟା କରିବା ନେଇ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ନିଜକୁ ଜଣେ ଭାରତୀୟ ଶିଖ୍ ଭାବରେ କହୁଥିବାବେଳେ ନିଜ ନାମ ଜସୱନ୍ତ ସିଂ ଛେଲ ବୋଲି କହିଛି। ସେ କହିଛି ୧୯୧୯ ମସିହାରେ ଜାଲିଆନୱାଲାବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ରାଣୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ୍କଟଲ୍ୟାଣ୍ଡ ପୁଲିସ ତଦନ୍ତ ଆରମ୍ଭ କରିଛି।
‘ସ୍ନାପସପ୍’ରେ ଆସିଥିବା ଏହି ଭିଡିଓରେ ମାସ୍କ ପିନ୍ଧିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ ୧୯୧୯ର ଜାଲିଆନୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ମୁଁ ମହାରାଣୀଙ୍କୁ ହତ୍ୟା କରିବାକୁ ଚାହୁଁଛି। ଏହି ଭିଡିଓ ସାମ୍ନାକୁ ଆସିବା ପୂର୍ବରୁ ମହାରାଣୀଙ୍କ ୱିଣ୍ଡସର ପ୍ୟାଲେସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ୧୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ଯୁବକଙ୍କ ଏହି ଭିଡିଓରେ ଜଡିତ ଅଛନ୍ତି କି ନାହିଁ ସ୍କଟଲ୍ୟାଣ୍ଡ ପୁଲିସର ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। ସେହିପରି ମେଟ୍ରୋପଲିଟାନ ପୁଲିସ କହିଛି ଯେ ବ୍ରିଟେନର ମାନସିକ ସ୍ୱାସ୍ଥ୍ୟ ଅଧିନିୟମ ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତିର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।