କନକ ବ୍ୟୁରୋ: ଝାରସୁଗୁଡାରୁ ସାରା ରାଜ୍ୟକୁ ସ୍ୱାସ୍ଥ୍ୟମନ୍ତ୍ରୀ ଯେତେବେଳେ ମାସ୍କ କିଣାରେ ଦୁର୍ନୀତି ହୋଇନଥିବା ନେଇ ଆଶ୍ୱସ୍ତିକର ବାଣୀ ଶୁଣାଉଥିଲେ, ସେତେବେଳେ ଏହି ପୁରା ପ୍ରକ୍ରିୟା ଆଉ କିଣାବିକା ପାଇଁ ଅବଲମ୍ବନ କରାଯାଉଥିବା ନୀତି ଉପରେ ସମସ୍ତଙ୍କର ବିଶ୍ୱାସ ଆସିବା କଥା । କମସେ କମ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନକୁ ସରକାର ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି ଏବଂ ଜବାବଦେହୀ ହେବାକୁ ଉଦ୍ୟମ କରୁଛନ୍ତି । ଗଣତନ୍ତ୍ରରେ ଯେତେବେଳେ ସାଧାରଣ ଲୋକଙ୍କୁ ଭଗବାନ ବୋଲି କୁହାଯାଏ, ସେତେବେଳେ ସରକାର ଏଭଳି ଆଭିମୁଖ୍ୟ ରଖିବା ସ୍ୱାଗତଯୋଗ୍ୟ, ହେଲେ ଏହା ପଛରେ ଯେ ପୁଣି ପାହାଡ ଭଳି ପ୍ରଶ୍ନ ଠିଆ ହେବ, ଏହାକୁ ଖୁବ କମ ଲୋକ ତର୍ଜମା କରୁଥିବେ ।
ନବ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଲେ, ୩ ଦିନ ଭିତରେ କେନ୍ଦ୍ର ସରକାର ମାସ୍କ ଦର ୬ ଟଙ୍କା ବଢାଇଦେଲେ । ୨୧ ମାର୍ଚ୍ଚରେ ମାସ୍କ ଦର ୧୦ ଟଙ୍କା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଆଉ ଏହାର ୩ ଦିନ ପରେ ଅର୍ଥାତ୍ ୨୪ ମାର୍ଚ୍ଚରେ ଦରକୁ ୧୬ ଟଙ୍କାକୁ ବଢାଇ କେନ୍ଦ୍ର ସରକାର ନୂଆ ନୋଟିଫିକେସନ ବାହାର କଲେ । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ୩ ଦିନରେ ଦର ୬ଟଙ୍କା କାହିଁକି ବଢିଲା? କେଉଁ ଆଧାର ବଳରେ କେନ୍ଦ୍ର ସରକାର ହଠାତ୍ ଏଭଳି ନିଷ୍ପତ୍ତି ନେଲେ ତା ଉପରେ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠାଉଥିବା ବିଜେପି ସ୍ପଷ୍ଟୀକରଣ ରଖିବା ଦରକାର । ନଚେତ ବିରୋଧୀ ଦଳ ଉଠାଉଥିବା ମୁଦ୍ଦା ଉପରେ ବିଶ୍ୱାସ ରହିବନି ।
ହେଲେ ଯେଉଁ ଦିଗଟି ଆମ ମନକୁ ଆନ୍ଦୋଳିତ କରୁଛି, ତାହେଲା ରାଜ୍ୟ ସରକାର ଯେଉଁ ସମୟ ବେଳକୁ ମାସ୍କ ଅର୍ଡର ଦେଲେ, ସେତେବେଳକୁ କେନ୍ଦ୍ର ସରକାର ନୂଆ ବିଜ୍ଞପ୍ତି ପ୍ରକାଶ କରି ସାରିଥିଲେ । ସରଳ ଭାଷାରେ ବୁଝିବା ଗଲେ ପ୍ରଥମେ ରାଜ୍ୟ ସରକାର ୯ ଟଙ୍କା ୯୦ ପଇସା ଦରରେ ୫ ଲକ୍ଷ ମାସ୍କ କିଣିବାକୁ ଏପ୍ରିଲ ୧୫ ତାରିଖରେ ଅର୍ଡର ଦେଲେ । ଆଉ ଏହାର ୨ ଦିନ ପରେ ଅର୍ଥାତ୍ ୧୭ ଏପ୍ରିଲରେ ୧୬ ଟଙ୍କା ଦରରେ ୩୦ ଲକ୍ଷ ମାସ୍କ କିଣିଥିଲେ ରାଜ୍ୟ ସରକାର । ୨ ଦିନରେ ଦର ୬ ଟଙ୍କା ବଢିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ସାମ୍ନାକୁ ଆସି କହିଲେ କେନ୍ଦ୍ର ଯେହେତୁ ଦର ବଢାଇଲା, ତେଣୁ ଆମେ ଅଧିକ ଦରରେ ମାସକ କିଣିଲୁ । ଏଥିରେ କିଛି ବ୍ୟତିକ୍ରମ ହୋଇନାହିଁ । ହେଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ନୂଆ ପ୍ରଶ୍ନ ସୃଷ୍ଟି କରିଛି ।
- ଯେଉଁ ସମୟ ବେଳକୁ ରାଜ୍ୟ ସରକାର ୧୦ ଟଙ୍କାରେ ମାସ୍କ ଅର୍ଡର କରିଥିଲେ, ସେତେବେଳକୁ କେନ୍ଦ୍ର ସରକାର ମାସ୍କ ଦର ୧୬ ଟଙ୍କାକୁ ବଢାଇ ସାରିଥିଲେ । ତାହେଲେ କିଭଳି ପୂର୍ବ ଦର ଅନୁସାରେ ହିଁ ମାସ୍କ କିଣିବାକୁ ସରକାରୀ ସ୍ତରରେ ଉଦ୍ୟମ କରାଗଲା?
- ଦ୍ୱିୟୀୟତଃ, କେନ୍ଦ୍ର ସରକାର ଦର ବଢାଇବା ବାବଦରେ ରାଜ୍ୟ ସରକାର କେବେ ଅବଗତ ହେଲେ? ୨୪ ମାର୍ଚ୍ଚର ବିଜ୍ଞପ୍ତି ବାବଦରେ କଣ ୧୫ ଏପ୍ରିଲ ପରେ ରାଜ୍ୟ ଜାଣିଲା? ୧୭ ଏପ୍ରିଲରେ ଭିନ୍ନ ଏକ କଂପାନୀ ଠାରୁ ୧୬ ଟଙ୍କା ଦେଇ କିଣିବା ପଛର ଆଧାର କଣ?
ଏହି ଦୁଇ ଦିଗ ଏବେ ବି ସନ୍ଦେହ ଘେରରେ ରହିଛି । କାରଣ ସରକାରୀ ସ୍ତରରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି, ତାହା ବୁଝାଇବାକୁ ଯଥେଷ୍ଟ ଯେ, ମାସ୍କ କିଣାରେ କିଛି ଦୁର୍ନୀତି ହୋଇନାହିଁ । ହେଲେ ସାଧାରଣ ଆଖିରେ ଯେଉଁ ସବୁ ପ୍ରସଙ୍ଗ ଉଙ୍କି ମାରୁଛି, ସେସବୁ ନୂଆ ବିବାଦକୁ ସାମ୍ନାକୁ ଆଣିପାରେ । ନବ ଦାସଙ୍କ ସାମ୍ବାଦିକ ସମ୍ମିଳନୀ ବିବାଦ କମାଇଲା କମ ଆଉ ଅଧିକ ବଢାଇଲା କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/NABA-DAS_00000.jpg)