କରୋନାର ଡେଲଟା ଭାରିଆଣ୍ଟକୁ ନେଇ ଚିନ୍ତାରେ ବିଶ୍ୱ ସମୁଦାୟ । ପୁଣି ଇସ୍ରାଇଲକୁ ଫେରିଲା ମାସ୍କ କଟକଣା

189

କନକ ବ୍ୟୁରୋ : ୧୦ ଦିନ ତଳେ ଦେଶରୁ ମାସ୍କ କଟକଣା ହଟାଇ ଦେଇ ବିଶ୍ୱର ପ୍ରଥମ ମାସ୍କ ଫ୍ରି ଦେଶ ଭାବେ ଦାବି କରୁଥିବା ଇସ୍ରାଇଲରେ ପୁଣି ମାସ୍କ କଟକଣା ଲଗାଯାଇଛି । ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା କମି ଆସୁଥିବା ବେଳେ ପୁଣି କରୋନାର ନୂଆ ଡେଲଟା ଭାରିଆଣ୍ଟ ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଏବେ ବିଶ୍ୱର ୮୫ ଟି ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଲାଣି । ଏହି କ୍ରମରେ ଗତ ୧୦ ଦିନ ହେବ ଇସ୍ରାଇଲରେ ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠିକାର ସରକାର ପୁଣି ଦେଶରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ଇସ୍ରାଇଲର ବେନେଟ ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରିଛନ୍ତି ।

ବେନେଟ୍ ସରକାର କହିଛନ୍ତି କି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଏବେ ଇସ୍ରାଇଲରେ କାୟା ବିସ୍ତାର କରୁଛି । ଫଳରେ ଦେଶରେ ପୁଣି ଥରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ଟିକାର ଉଭୟ ଖୋରାକ ନେଇଥିବା ଲୋକଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ସଂକ୍ରମଣ କରୁଛି । ଯାହାକି ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଇସ୍ରାଇଲରେ ବର୍ତମାନ ପର୍ଯ୍ୟନ୍ତ ୮,୪୦,୨୨୫ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣରେ ୬,୪୨୮ ଜଣଙ୍କର ଜୀବନ ଯାଇଛି ।

ଇସ୍ରାଇଲର ପେଣ୍ଡାମିକ ରେସପନ୍ସ ଟାକ୍ସଫୋର୍ସର ମୁଖ୍ୟ ନଚମନ୍ ଐସ୍ ପବ୍ଲିକ ରେଡିଓ ମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ଦେଶରେ ଦୈନିକ ସଂକ୍ରମଣ ପୁଣି ୧୦୦ ଉପରକୁ ଆସିଥିବାରୁ ପୁଣି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ଦେଶବାସୀ ୧୮ ବର୍ଷରୁ କମ୍ ଲୋକଙ୍କୁ ଟିକା ଦେବାକୁ ଦାବି କରୁଥିବା ବେଳେ ଏନେଇ ଟିକା କମ୍ପାନୀମାନେ ପରୀକ୍ଷା ଚଳାଇଛନ୍ତି ବୋଲି ଐସ୍ କହିଛନ୍ତି ।