ବିଧାନସଭାରେ ଉଠିଲା ମାସ୍କ ଦୁର୍ନୀତି ପ୍ରସଙ୍ଗ । ବିରୋଧୀ ପଚାରିଲେ, କମ୍ପାନୀକୁ କାହିଁକି ଦିଆଯାଉଥିଲା ବ୍ଲାଙ୍କ ଚେକ୍?

154

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ମାସ୍କ ଦୁର୍ନୀତି ପ୍ରସଙ୍ଗ । କରୋନା ମୁକାବିଲା ନାଁରେ ମାସ୍କ ଓ ପିପିଇ କିଟରେ ହୋଇଥିବା ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମହାମାରୀ ସମୟରେ କୋଟି କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା । ଆଉ ଏହି ସାମଗ୍ରୀ କିଣିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଯେଉଁ କମିଟି କୋଭିଡ ସାମଗ୍ରୀକୁ ଯାଞ୍ଚ କରିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ କିଣିବା ଉପରେ ମୋହର ମାରୁଥିଲେ । ତେବେ ଏହି ମାସ୍କ ଦୁର୍ନୀତିର କଥା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ମାସ୍କ ଭର୍ତ୍ତି ଏକ ଟ୍ରକ ରାଜଧାନୀରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲା ଦାୟିତ୍ୱରେ ଥିବା କମିଟି । ଆଉ ଏହାପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ପରେ ଗୋଟିଏ ମାସ୍କ ଦୁର୍ନୀତିର ଖିଅ ସାମ୍ନାକୁ ଆସିଥିଲା । ଆଉ ଏହି କମିଟିର ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ।

ସେହିଭଳି ବ୍ଲାଙ୍କ ଚେକ୍ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କୋଭିଡ ମୁକାବିଲା ପାଇଁ ଯେଉଁ କମ୍ପାନିରୁ ସାମଗ୍ରୀ କିଣାଯାଉଥିଲା ସେମାନଙ୍କୁ କାହିଁକି ବ୍ଲାଙ୍କ ଚେକ୍ ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ । ଏହାପୂର୍ବରୁ କ୍ରୟ କମିଟିର ଦାୟିତ୍ୱରେ ଥିବା ଆଇଏଏସ ଅଫିସର ହେମନ୍ତ ଶର୍ମା ପ୍ରେସମିଟରେ ବ୍ଲାଙ୍କ ଚେକର କଥା କହିଥିଲେ । ସରକାର କରୋନା ମୁକାବିଲା ପାଇଁ ସାମଗ୍ରୀ କିଣିବା ଉପରେ କିଭଳି କ୍ରୟ କମିଟିକୁ ଫ୍ରି ହ୍ୟାଣ୍ଡ ଦେବା ସହ ବ୍ଲାଙ୍କ ଚେକ୍ ଦେଇଥିଲେ ସେନେଇ ପୂରା ଓଡ଼ିଶାବାସୀଙ୍କୁ ଜଣାଇଥିଲେ ହେମନ୍ତ । ଆଉ ହେମନ୍ତଙ୍କ ଏହି ବୟାନ ପରେ ବିରୋଧୀ କୋଭିଡ ମୁକାବିଲାରେ ବାରିଥିଲେ ଦୁର୍ନିତିର ଗନ୍ଧ । ପରବର୍ତ୍ତୀ ସମୟରେ ଏହି କମିଟିକୁ ଭାଙ୍ଗି ଦେଇଥିଲେ ସରକାର । ତେବେ ଏହାପରେ ମଧ୍ୟ ଆଜି ବିଧାନସଭାରେ ମାସ୍କ ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଅନ୍ୟପଟେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଭୁବନେଶ୍ୱର, ଖୋର୍ଦ୍ଧା ଜଟଣିରେ ୪୦୦ ଲୋକ ମରିଲେଣି । କିନ୍ତୁ ମେଡିକାଲରେ ସାଧାରଣ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ଥିବା ବେଳେ ଅନ୍ୟ ରୋଗରେ ପୀଡିତ ଥିବା ଲୋକ ଅଧିକ ହଇରାଣ ହେଉଛନ୍ତି । ତେଣୁ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବିଧାନସଭାରେ ଦାବି କରିଛନ୍ତି ସୁର ।

କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ କାର୍ଯ୍ୟ ଦିବସରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସମେତ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । କିଛି ବରିଷ୍ଠ ବିଧାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିବା ବେଳେ କିଛି ଜିଲ୍ଲା ପ୍ରଶାସନ ମୁଖ୍ୟାଳୟରୁ ଯୋଗ ଦେଇଛନ୍ତି । ଅନ୍ୟମାନେ ଗୃହରେ ଉପସ୍ଥିତ ରହିବା ସହିତ ଦର୍ଶକ ଗ୍ୟାଲେରୀ, ବାଚସ୍ପତି ଗ୍ୟାଲେରୀରେ ବିଧାୟକମାନେ ବସିବା ପାଇଁ ବ୍ୟବସ୍ଥା ହୋଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ବାତିଲ କରାଯାଇଛି । ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାସ୍କ, ଫେଓ ସିଲଡ ଓ ଗ୍ଲୋବସ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ସମସ୍ତ ବିଧାୟକ ସାମାଜିକ ଦୁରତା ଅବଲମ୍ବନ କରିଥିବା ବେଳେ ସବୁ ସିଟ ଆଗରେ କାଚ କଭର ଲଗାଯାଇଛି ।