କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ସମ୍ବଲପୁରରେ କଡାକଡି ହେଲା ମାସ୍କ ଚେକିଂ । ଅମାନିଆଙ୍କୁ ସଚେତନ କଲା ମ୍ୟୁନିସପାଲିଟି ।

174

କନକ ବ୍ୟୁରୋ: କରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ଯଦିଓ ଆଜି ଦେଶରେ ସଂକ୍ରମଣ ସଂଖ୍ୟା କମିଛି ତଥାପି ଲୋକଙ୍କ ମନରେ ଭୟ ବଢିଛି । ଦେଶରେ ଦିନକରେ ୧୦ ହଜାର ୫ଶହ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଫଳରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରାଯାଉଛି ।

କରୋନାର ନୂଆ ଷ୍ଟ୍ରେନକୁ ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟିକୁ ଯାଂଚ କଡାକଡି କରିବା ନେଇ ନିର୍ଦେଶନାମା ଆସିଛି । ତେବେ ସମ୍ବଲପୁର ମହାନଗର ନିମଗ ପକ୍ଷରୁ ଲୋକଙ୍କୁ ପ୍ରଥମେ ଆଜି ସତେଚନ କରାଯାଉଥିବା ଦେଖିବାକୁ ମିଳିଛି । କେମିତି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, କେମିତି ଘରୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବେ ସେନେଇ ଲୋକଙ୍କୁ ସଚେତନ କରୁଛି ମହାନଗର ନିଗମ ।

ଆଜି ପ୍ରଥମ ଦିନରେ ଜେଲ ଛକରେ ଅମାନିଆଙ୍କୁ ଫାଇନ ନକରି ସଚେତନ କରାଯାଉଛି । କରୋନା ଆରମ୍ଭରୁ ଯେମିତି ଲୋକେ ଘରୁ ମାସ୍କ ପିନ୍ଧି ବାହାରୁଥିଲେ ସେମିତି ମାସ୍କ ପିନ୍ଧିବା ଦେଖାଯାଉନି । ତେବେ ଚେକିଂ ଦାୟିତ୍ୱରେ ଥିବା ଏନଫୋର୍ସମେଂଟ ସ୍କ୍ୱାର୍ଡକୁ ଦେଖିଲେ ଲୋକେ ଲୁଚି ପଳାଉଛନ୍ତି । ଆଜି ବି ସଚେତନ ସମୟରେ ବାହାନା ବାଜି ଦେଖିବାକୁ ମିଳିଛି । ତେବେ ପ୍ରଥମଥର ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଆଗକୁ ଫାଇନ କଟାଯିବ ବୋଲି ଚେତାବନୀ ଦିଆଯାଇଛି ।