ଏଥରକ ଆଉ ଛାଡ ନାହିଁ । କଡାକଡି ହେବ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ନିୟମ । ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ କ୍ଷେତ୍ରରେ ସରକାର ଆଉ ମହଲତ ଦେବେ ନାହିଁ

343

କରୋନା ସହ ଚାଲିବ ଏକ ଲମ୍ବା ଲଢ଼େଇ । ମାର୍ଚ୍ଚ ୧୫ ତାରିଖଠାରୁ ଏଯାବତ୍ ରାଜ୍ୟ ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରି ଚାଲିଛି । ଏଥିରେ ସଫଳତା ମଧ୍ୟ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ଆଜି ଜୁଲାଇ ମା‌ସରେ ରାଜ୍ୟରେ କଟକଣା କିଭଳି ରହିବ ତାହା ଘୋଷଣା କରି ସେ କହିଛନ୍ତି ଯେ ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ କ୍ଷେତ୍ରରେ ସରକାର ଆଉ ମହଲତ ଦେବେ ନାହିଁ । ଏସବୁ ନିୟମ ପାଳୁ ନ ଥିବା ଲୋକଙ୍କ କ୍ଷେତ୍ରରେ ‘ଜିାରୋ ଟଲରାନ୍ସ’ ବା ଶୂନ୍ୟ ସହନୀୟତା ନୀତି ଅବଲମ୍ବନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ସେ ରାଜ୍ୟର ଗଣମାଧ୍ୟମ ଏବଂ ଜନମତକୁ ପ୍ରଭାବିତ କରିପାରୁଥିବା ବ୍ୟକ୍ତବିଶେଷଙ୍କୁ ଜନସାଧାରଣଙ୍କ ମଧ୍ୟରେ ସଂକ୍ରମଣ ନେଇ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି ।

ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ ସୂଚନା ଦେବା ସହିତ କହିଛନ୍ତି, ଏହି ମହମାରୀ ସହ ଲଢ଼ିବାକୁ ହେବ ଏକ ଦୀର୍ଘକାଳୀନ ଯୁଦ୍ଧ। ଯେପର୍ଯ୍ୟନ୍ତ ପ୍ରତିଷେଧକ ଟିକା ବାହାରି ନାହିଁ ସେପର୍ଯ୍ୟନ୍ତ ନିଜକୁ ହିଁ ସଚେତନ ରହିବାକୁ ପଡ଼ିବ। ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କ ସୁରକ୍ଷା ଲାଗି ଯତ୍ନବାନ୍ ହେବାକୁ ପଡ଼ିବ ।

ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମାସରେ ଜୋରଦାର ଯାଞ୍ଚ ହେବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ ରହିଛି । ସେହିପରି କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଅତିକମ୍‌ରେ ଲୋକଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବ । ଏହି ନିୟମ ନମାନିଲେ ଜରିମାନା କରାଯିବ । ସେହିପରି କୌଣସି ବ୍ୟକ୍ତି ଯଦି ବାହାରେ ଛେପ ପକାନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ କ୍ଷେତ୍ରରେ ପୁଲିସ ‘ଜିାରୋ ଟଲରାନ୍ସ’ ବା ଶୂନ୍ୟ ସହନୀୟତା ନୀତି ଅବଲମ୍ବନ କରିବ ।

ଦୋକାନମାନଙ୍କରେ ସାମାଜିକ ଦୂରତା ରଖି ଜିନିଷ କିଣିବାକୁ ଗ୍ରାହକଙ୍କୁ ତାଗିଦ କରାଯାଇଛି । ଏହି ନିୟମରେ ଯଦି ଗ୍ରାହକ ଖିଲାପ କରନ୍ତି ତେବେ ଏଥିପାଇଁ ଦୋକାନୀଙ୍କୁ ଦାୟୀ କରାଯିବ। ଅନ୍‌ଲକ୍‌-୨ ସମୟରେ ଯଦି ବାହାଘର ଉତ୍ସବ ହେଉଛି ତେବେ ୫୦ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ଜଣ ଉପସ୍ଥିତ ହୋଇପାରିବେ।

ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ‘ଏସ୍‌ଓପି’ ହୋଇଛି । ସେଠାରେ ସାମାଜିକ ଦୂରତା ରକ୍ଷା କରାଯାଉଛି କି ନାହିଁ ତାହା ଯାଞ୍ଚ କରାଯିବ। ନିୟମ ଉଲଘଂନ କଲେ କାର୍ଯ୍ୟାଳୟର ମୁଖ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କର୍ମଚାରୀମାନଙ୍କ ପାଇଁ ‘ଓ୍ଵାର୍କ ଫର୍ମ ହୋମ୍‌’ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର କହିଛନ୍ତି ।

ଏଥିସହିତ ସ୍ଥାନୀୟ ପ୍ରଶାସନ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଅବସ୍ଥାକୁ ଦେଖି ସଙ୍ଗରୋଧର ୧୪ଦିନିଆ ଅବଧିକୁ ବୃଦ୍ଧି କରିପାରିବେ । ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଗର୍ଭବତୀ ଓ ୧୦ବର୍ଷରୁ କମ୍‌ ଶିଶୁଙ୍କୁ ଯଥାସମ୍ଭବ ସଚେତନ ରହିବା ସହିତ ସେମାନଙ୍କୁ ବିନା କାମରେ ଘରୁ ନ ବାହାରିବା ଲାଗି ସରକାର ଆହ୍ନାନ କରିଛନ୍ତି ।