କନକ ବ୍ୟୁରୋ : ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗକୁ ଯିବକୁ ରାସ୍ତା ଦେଖାଏ । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ । ଯାହା ଯୁବଚାଷୀ ବିଶିକେସନ ସାହୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖିଲାମୁଣ୍ଡା ଗାଁରେ ବିଶିକେସନଙ୍କ ଘର । ପୂର୍ବରୁ ପରିବାର ପ୍ରତିପୋଷଣ ପାଇଁ ବିଶିକେସନ ବିଭିନ୍ନ ପ୍ରକାର ପରିବା ଚାଷ କରୁଥିଲେ । ହେଲେ ଏଥିରେ ତାଙ୍କୁ ଭଲ ଲାଭ ମିଳୁନଥିଲା । ୟୁଟ୍ୟୁବରୁ ଛତୁଚାଷ ବିଷୟରେ ପ୍ରଶିକ୍ଷଣ ନେଇ କିଛି ଜମି ଲିଜରେ ଆଣି ଛତୁ ଚାଷ ଆରମ୍ଭ କରିଥିଲେ । ଏହା ଏକ ଅର୍ଥକାରୀ ଚାଷ ହୋଇଥିବା ବେଳେ କମ୍ ଖର୍ଚ୍ଚରେ ଭଲ ଲାଭ ମିଳୁଛି । କମ୍ ସମୟରେ ଛତୁ ଅମଳ ହୋଇପାରୁଛି । ବଜାରରେ ମଧ୍ୟ ଛତୁର ଚାହିଦା ରହିଛି । ତେଣୁ ସବୁ ଦିଗକୁ ନଜରରେ ରଖି ଛତୁଚାଷ କରୁଛନ୍ତି ବିଶିକେସନ ।

Advertisment

ଛତୁଚାଷ ପାଇଁ ଚାଷୀ ଜଣଙ୍କ ଆବଶ୍ୟକୀୟ ବିହନ ବ୍ରହ୍ମପୁର ଓ ଗୁଣୁପୁର ସ୍ଥିତି କୃଷି ବିଜ୍ଞାନ କେନ୍ଦ୍ରରୁ ଆଣୁଛନ୍ତି । ଲିଜ୍ ଜମିରେ ୪ ଶହରୁ ଅଧିକ ବେଡ ପକାଇ ଛତୁ ଚାଷ କରୁଛନ୍ତି ବିଶିକେସନ । ପ୍ରତିଦିନ ତାଙ୍କ ଫାର୍ମରୁ ୧୫ କିଲୋରୁ ଅଧିକ ଛତଚ ଉତ୍ପାଦନ ହେଉଛି । ଛତୁ କିଲୋପ୍ରତି ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ଅନ୍ୟ ଦୁଇଜଣ କର୍ମଚାରୀଙ୍କ ମଧ୍ୟ ସେ ଏହି କାମରେ ନିୟୋଜିତ କରିଛନ୍ତି । ଚାଷୀଙ୍କ ଫାର୍ମରୁ ଉତ୍ପାଦିତ ହେଉଥିବା ଛତୁ ଉନ୍ନତମାନର ଓ ସ୍ୱାଦିଷ୍ଟ ହୋଇଥିବାରୁ ଅଞ୍ଚଳରେ ଚାହିଦା ରହିଛି । ବ୍ୟବସାୟୀ ଓ ଗ୍ରାହକମାନେ ଆସି ତାଙ୍କ ଜମି ନିକଟରୁ ଛତୁ କିଣିନେଉଛନ୍ତି ।
ଯୁବଚାଷୀଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।