କୃଷ୍ଣପ୍ରସାଦ ଓଡିଆସାହି ଗାଁର ୧୬ ଜଣ ମହିଳା କରୁଛନ୍ତି ଛତୁ ଚାଷ । ୫୦ ହଜାର ଟଙ୍କାରୁ ଆରମ୍ଭ, ଏବେ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର

146

କନକ ବ୍ୟୁରୋ : ମହିଳା ମାନେ ଏବେ ଘର କାମରେ ସୀମିତ ନରହି ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାରର ବାଟ ବାଛୁଛନ୍ତି । ସ୍ୱୟଂ ସହାୟକ ଗ୍ରୁପ୍ ମାଧ୍ୟମରେ ରୁଣ ନେଇ କିଏ ଛତୁ ଚାଷ କରୁଛନ୍ତି ତ ପୁଣି କିଏ ଛେଳି ଚାଷ କରୁଛନ୍ତି । ତେବେ କୃଷ୍ଣପ୍ରସାଦ ବ୍ଲକ ଭଗବାନପୁର ଓଡ଼ିଆସାହି ଗାଁର ମା’ ମହାମାୟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛତୁ ଚାଷ କରି ବେଶ ଲାଭବାନ ହେଉଛନ୍ତି । ୧୬ ଜଣ ମହିଳା ଏକାଠି ହୋଇ ଏହି କାମ କରୁଥିବା ବେଳେ ସ୍ଥାନୀୟ ଅଂଚଳର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଛତୁ ଚାଷ ପାଇଁ ମହିଳା ମାନଙ୍କୁ ପ୍ରଥମେ ଛତୁ ମଞ୍ଜି ସଂଗ୍ରହ କରିବାକୁ ପଡ଼ିଥାଏ । ପୁରୀ ଓ ଭୁବନେଶ୍ୱରରୁ ଛତୁ ମଞ୍ଜି ସଂଗ୍ରହ କରୁଛନ୍ତି ମହିଳା । ଏହା ପରେ ସ୍ଥାନୀୟ ଚାଷୀଙ୍କ ଠାରୁ ଛଣ ସଂଗ୍ରହ କରି ଏହାକୁ ବିଡ଼ା ବାନ୍ଧି ପାଣିରେ ଭିଜାଇବାକୁ ପଡ଼ିଥାଏ । ଏହା ପରେ ସେଥିରେ ଛତୁ ମଞ୍ଜି ରଖି, ପଲିଥିନ୍ ଘୋଡ଼ାଇ ବେଡ଼ ପକାଇବାକୁ ପଡ଼ିଥାଏ । ମଞ୍ଜି ପଡ଼ିବାର ୧୩ ଦିନ ପରେ ଛତୁ ଅମଳ କରାଯାଏ । ୨୦୧୫ରୁ ଛତୁ ଚାଷ କରୁଛନ୍ତି ମହିଳା । ଏଥିରୁ ଭଲ ଲାଭ ହେଉଥିବାରୁ ଖୁସି ସେମାନେ ପ୍ରକାଶ କରିଛନ୍ତି ।

ଛତୁ ଏକ ଲାଭଜନକ ଚାଷ ହୋଇଥିବା ବେଳେ କମ୍ ଖର୍ଚ୍ଚ ଓ କମ୍ ସମୟରେ ଏହା ଭଲ ଅମଳ ହୋଇଥାଏ । ତେଣୁ ମହିଳା ମାନେ ଏହି ଚାଷ ଆପଣାଇ ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି । ମାତ୍ର ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ଲକ୍ଷାଧିକ ଟଙ୍କା ରୋଜଗାର ଦେଉଛି ।