କନକ ବ୍ୟୁରୋ : କୁହାଯାଏ କଠିନ ପରିଶ୍ରମ କଲେ ସଫଳତା ମିଳିଥାଏ । ଯାହା ପ୍ରମାଣିତ କରିଛନ୍ତି ନିଆଳି ମାଧବ ବାଲିଲାଞ୍ଜି ଗାଁର ସୁଶାନ୍ତ ପରିଡ଼ା । ଦିନେ ପେଟପାଟଣା ପାଇଁ ସୁରଟ୍ ଯାଇ ଦାଦନ ଖଟୁଥିଲେ । ଏବେ ନିଜେ ରୋଜଗାର କରିବା ସହ ଅନ୍ୟ ୨୫ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ସୁଶାନ୍ତ । ଅଳ୍ପ ପାଠପଢ଼ା କିନ୍ତୁ କଠିନ ପରିଶ୍ରମ ବଳରେ ଏହାକୁ ସେ ସମ୍ଭବ କରିପାରିଛନ୍ତି । ସ୍ଥାନୀୟ ଅଂଚଳରୁ ନଡ଼ା ସଂଗ୍ରହ କରି ବର୍ଷକ ୧୨ ମାସ ସେ ଛତୁ ଚାଷ କରୁଛନ୍ତି । ଜଣେ ସଫଳ ଛତୁ ଚାଷୀ ଭାବେ ସ୍ଥାନୀୟ ଅଂଚଳରେ ସେ ନିଜର ପରିଚୟ ତିଆରି କରିପାରିଛନ୍ତି । ଏହି ଚାଷ ମାଧ୍ୟମରେ ସେ ବର୍ଷକୁ ୫ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପ୍ରଥମେ ପ୍ରଥମେ ଅଳ୍ପ ବେଡ଼ ପକାଇ ଛତୁ ଚାଷ କରୁଥିଲେ । ଭଲ ଚାଷ ହେବାରୁ ନିଜ ଗାଁ ପାଖ ୪ଟି ସ୍ଥାନରେ ପାଖାପାଖି ୭ଏକର ଜମି ଲିଜ୍ ନେଇ ଛତୁ ଚାଷ କରୁଛନ୍ତି । ଦିନକୁ ୨୫୦ରୁ ୩୦୦ ଛତୁ ବେଡ଼ ପକାଇ ଛତୁ ତୋଳୁଛନ୍ତି । ଦୈନିକ ତାଙ୍କ ବାଡ଼ିରୁ ବାହାରୁଛି ୪ରୁ ୫ କୁଇଂଟାଲ ଛତୁ । ମାସକୁ ୧୦ରୁ ୧୨ ଟନ୍ ଛତୁ ଅମଳ କରୁଛନ୍ତି ସୁଶାନ୍ତ । ଦିନକୁ ୭୦ ହଜାରରୁ ଅଧିକ ରୋଜଗାର ଦେଉଛି ଛତୁ ଚାଷ । ସବୁ ଖର୍ଚ୍ଚ ଯାଇ ବର୍ଷକୁ ୫ରୁ ୭ ଲକ୍ଷ ଲାଭ ଦେଉଛି ଏହି ଚାଷ । ନିଆଳି ଚାରିଛକ, କଟକ, ଭୁବନେଶ୍ୱର ଅଂଚଳର ବ୍ୟବସାୟୀ ମାନେ ତାଙ୍କ ନିକଟକୁ ଯାଇ ଏହାକୁ କିଣିନେଉଛନ୍ତି ।

Advertisment

ଦୁଇ ପଇସା ରୋଜଗାର ଆଶାରେ ୨୦୧୪ ମସିହାରେ ସୁଶାନ୍ତ ତାଙ୍କ ପିଇସାଙ୍କ ଘରୁ ଛତୁଚାଷ ଶିଖି ୬ଟି ବେଡ଼ ପକାଇଥିଲେ । ପରେ ଗାଁରୁ ନଡ଼ା ସଂଗ୍ରହ କରି ବାଲିପାଟଣାରୁ ଛତୁ ମଞ୍ଜି ,ଆଣି ୨ଟି ପିଲାଙ୍କୁ ନେଇ ଭଲ ଭାବେ ଚାଷ ଆରମ୍ଭ କଲେ । ତା’ ପରଠାରୁ ସେ ଏହି ଚାଷରୁ ଆଉ ମୁହଁ ଫେରାଇନାହାଁନ୍ତି । ସୁଶାନ୍ତଙ୍କ ଛତୁ ଫାର୍ମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୫ଜଣ କାମ କରୁଛନ୍ତି । ଲିଜ୍ ନେଇଥିବା ଛତୁ ଫାର୍ମରେ ଏହି ପିଲା ନିୟୋଜିତ ଅଛନ୍ତି । କିଏ ନଡ଼ା କାଟୁଛି ତ ପୁଣି କିଏ ନଡ଼ାକୁ ପାଣିରୁ ଛାଣି ବେଡ଼ ପକାଉଛି । ପୁଣି କିଏ ଛତୁ ତୋଳିବାରେ ନିୟୋଜିତ ଅଛନ୍ତି । ଏଥିପାଇଁ ଜଣେ ଜଣେ କର୍ମଚାରୀଙ୍କୁ ୭ରୁ ୮ହଜାର ଟଙ୍କା ରୋଜଗାର ମିଳିପାରୁଛି ।

ଛତୁ ଚାଷ ଏକ ଅର୍ଥକାରୀ ଚାଷ ହୋଇଥିବା ବେଳେ ଏହା କମ୍ ସମୟ ଭିତରେ ଭଲ ରୋଜଗାର ଦେଇଥାଏ । ଖୁବ୍ କମ୍ ପଇସା ବିନିଯୋଗ କରି ଚାଷୀ ଏହି ଚାଷ କରିପାରିଥାଏ । ତେବେ ନିଆଳି ଅଂଚଳର ସୁଶାନ୍ତ ଛତୁ ଚାଷ ଅନ୍ୟ ଚାଷୀଙ୍କ ଉଦାହରଣ ପାଲଟିବ ନିଶ୍ଚୟ ।