ଜୈବିକ ପଦ୍ଧତିରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର କୃଷି ଗବେଷକ ବିନୟ କୁମାର । ମାସକୁ ମିଳୁଛି ଲକ୍ଷାଧିକ ଟଙ୍କା

169

କନକ ବ୍ୟୁରୋ : ଚାକିରି ପଛରେ ନଗୋଡ଼ାଇ ନିଜ ଜମିରେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜଣେ ଯୁବ ବୈଜ୍ଞାନିକ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରୁଣ ନେଇ ଧଳା ବଟନ ଛତୁ ଚାଷ କରି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଔପଦା ବ୍ଲକ ତଳକିଆ ଗାଁର ଯୁବ ବୈଜ୍ଞାନିକ ବିନୟ ଭୂଷଣ ପଣ୍ଡା । ବିନୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ରୁଣ ନେଇ ନିଜ ଜମିରେ ୧୦ ହଜାର ବେଡ଼ ବିଶିଷ୍ଟ ଧଳା ବଟନ ଛତୁ ଚାଷ କରିଛନ୍ତି । ଜୈବିକ ପଦ୍ଧତିରେ ଛତୁ ଚାଷ କରିଥିବା ବେଳେ ମାସକୁ ସବୁ ଖର୍ଚ୍ଚ ଯାଇ ୨ଲକ୍ଷ ଟଙ୍କା ଆୟ କରୁଛନ୍ତି ବିନୟ । ବାଲେଶ୍ୱର ଜିଲ୍ଲାରେ ଏହି ଚାଷ ପ୍ରଥମ କରି ହେଉଥିବାରୁ ବଜାରରେ ମଧ୍ୟ ଭଲ ବିକ୍ରି ହେଉଛି ।

ବନିୟ ବଟାନୀରେ ଏମଏସସି, ଏମଫିଲ, ପିଏଚଡି ପରେ କୃଷି ଉପରେ ଗବେଷଣା କରୁଥିଲେ । ପରେ ଗ୍ରାମାଂଚଳରେ ଜଣେ ଭଲ ଚାଷୀ ହେବା ସହ ନିଜ ଅଂଚଳର ଯୁବକ ମାନଙ୍କୁ ରୋଜଗାର ଦେବା ଆଶାରେ ଚାଷ ଆରମ୍ଭ କରିଥିଲେ । ଏବେ ବିନୟ ଜଣେ ସଫଳ ଚାଷୀ ଭାବେ ଜିଲ୍ଲାରେ ବେଶ ଜଣାଶୁଣା ।

ବଜାରରେ ବିନୟଙ୍କ ଛତୁର ଚାହିଦା ଅଧିକ ରହିଥିବା ବେଳେ ବାହାଘର, ବ୍ରତଘର ଭୋଜି ପାଇଁ ଲୋକମାନେ ଆଗୁଆ ଅର୍ଡର ଦେଇ କିଣିନେଉଛନ୍ତି । ଅଧିକ ଅର୍ଡ଼ର ମିଳୁଥିବାରୁ ଆଗକୁ ଅଧିକ ଚାଷ କରିବା ପାଇଁ ଯୋଜନା କରିଛନ୍ତି ବିନୟ ।