ବାଲାକୋଟରେ ହୋଇଥିଲା ବୋମାମାଡ! ଶତ୍ରୁ ମୁହଁରୁ ବାହାରିଲା ସତ, ପଦାରେ ପଡ଼ିଲା ‘ପାକ୍’ର ମିଛ । ଆତଙ୍କୀ କ୍ୟାମ୍ପରେ ବୋମାମାଡ଼ ହୋଇଥିବା ସ୍ୱୀକାର କଲା ମସୁଦ ଆଝାରର ଭାଇ

434

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସୀମା ଭାରତୀୟ ବାୟୁସେନା କରିଥିବା ବୋମା ମାଡ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ମସୁଦ ଆଝାରର ଭାଇ ମୌଲାନା ଅମାର ଏକ ଅଡିଓ ଟେପ୍ରେ, ଜୈସ-ଏ- ମହମ୍ମଦର କ୍ୟାମ୍ପ ଉପରେ ବୋମା ମାଡ ହୋଇଛି ବୋଲି ସ୍ୱୀକାର କରିଛି । ଏଥିରେ ବିପୁଳ ପରିମାଣରେ ସେମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କହିଛି ଅମାର ।

କେଇ ସେକେଣ୍ଡର ଅଡିଓ କ୍ଲିପ୍, ପାକିସ୍ତାନର ସବୁ ପ୍ରଶ୍ନର ଉତର ହୋଇ ସାମ୍ନାକୁ ଆସିଛି । କାରଣ, ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ଏକ ନିର୍ଜନ ସ୍ଥାନରେ ବୋମାମାଡ଼ କରି ପଳାୟନ କରିଥିଲା ବୋଲି ପାକ୍ ଆର୍ମି ଦାବି କରୁଥିବା ବେଳେ, ପାକିସ୍ତାନରେ ଭାରତୀୟ ବାୟୁସେନା କରିଛି କ’ଣ, ତା’ର ପ୍ରମାଣ ଦେଉଛି ମୌଲାନା ଅମାରଙ୍କ ଏହି ଅଡିଓ କ୍ଲିପ୍ ।

ମୌଲାନା ଅମାର କହିଛି, ଭାରତୀୟ ସେନା ସୀମା ପାର୍ ହୋଇ ଇସଲାମିକ୍ ରାଷ୍ଟ୍ରରେ ପ୍ରବେଶ କଲା ଏବଂ ସେମାନେ ଆମର ଇସଲାମ୍ କେନ୍ଦ୍ର ଗୁଡ଼ିକ ଉପରେ ବୋମାମାଡ଼ କଲେ । ଶତ୍ରୁ ପକ୍ଷରୁ ଯୁଦ୍ଧର ଘୋଷଣା କରାଗଲା । ଆକ୍ରମଣ ସେଇ ଜାଗାରେ ହୋଇଥିଲା ଯେଉଁଠି ଛାତ୍ରମାନେ ଜିହାଦର ତାଲିମ୍ ନେଉଥିଲେ । ଭାରତୀୟ ଲଢୁଆ ବିମାନ କୌଣସି ଏଜେନ୍ସି ମୁଖ୍ୟାଳୟରେ ବୋମାମାଡ଼ କରିନଥିଲା । ଭାରତର ବିମାନ ଏମିତି କିଛି ସ୍ଥାନରେ ବୋମାମାଡ଼ କରିଥିଲେ, ଯେଉଁଠି ଏଜେନ୍ସିର ବୈଠକ ବସୁଥିଲା । ଯେଉଁଠି ଜିହାଦର ତାଲିମ୍ ଦିଆଯାଉଥିଲା ।

ମିଛର ଆୟୁ ଯେତେ ଲମ୍ବା ହେଉ ନା’ କାହିଁକି, ସତ ସହ ସାମ୍ନା ହୋଇଗଲେ, ତାର ମୃତ୍ୟୁ ହେବା ଥୟ । ଆଉ ଏଥର ପାକିସ୍ତାନର ମିଛକୁ ସତ ସହ ସାମ୍ନା କରିଛି ମୌଲାନା ଅମାର । ମୌଲାନା ଅମାର ହେଉଛି, ଜୈସ-ଏ-ମହମ୍ମଦର ପ୍ରତିଷ୍ଠାତା ମସୁଦ ଆଝାରର ଭାଇ । ଯିଏ ବାୟୁସେନା କେଉଁ କେଉଁଠି ହମଲା କରିଥିଲା ଗୋଟି ଗୋଟି କରି ବଖାଣୁଛି । ଆତଙ୍କୀ ଠିକଣା ଉପରେ ଭାରତୀୟ ବାୟୁସେନାର ଆକ୍ରମଣ, ପାକିସ୍ତାନ ପାଇଁ ଅଜାଗା ଘା’ ଭଳି ନା’ ଦେଖେଇ ପାରୁଛି ନା’ ଲୁଚେଇ ପାରୁଛି । ସତକୁ ଲଚେଇବାକୁ ଯାଇ, ବୁଲି ବୁଲି ବିଦେଶୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆସି ବୁଲି ଦେଖିଯିବାକୁ ଆହ୍ୱାନ କରୁଛି । ହେଲେ ଠିକ୍ ଏମିତି ବେଳେ ଆତଙ୍କୀର ଭାଇ ଖୋଲି ଦେଇଛନ୍ତି ପାକିସ୍ତାନର ପୋଲ୍ ।