ମହିଳା ରେଳଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସୁରକ୍ଷା ଯୋଜନା । ‘ମେରି ସହେଲି’ ବୁଝିବ ମହିଳା ଯାତ୍ରୀଙ୍କ ସମସ୍ତ ସମସ୍ୟା

317

କନକ ବ୍ୟୁରୋ : ଟ୍ରେନ ଯାତ୍ରା ବେଳେ ମିଳିବ ମହିଳା ଯାତ୍ରୀଙ୍କୁ ସୁରକ୍ଷା । ମହିଳା ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଶର ସମସ୍ତ ଜୋନରେ ରେଳବାଇ ପକ୍ଷରୁ ‘ମେରି ସହେଲି’ ନାମକ ଏକ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ମହିଳା ଯାତ୍ରୀ ମାନେ କିଭଳି ସୁରକ୍ଷିତ ଭାବେ  ଆରମ୍ଭରୁ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ ତାହା ଏହି ଅଭିଯାନର ଲକ୍ଷ୍ୟ ବୋଲି ରେଳମନ୍ତ୍ରଣାଳୟ କହିଛି । ୨୦୨୦ ସେପ୍ଟେମ୍ବର ମାସରେ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ପାଇଲଟ୍ ପ୍ରକଳ୍ପ ପ୍ରଥମେ ଆରମ୍ଭ କରାଯାଇଥିଲା । ଏହି ପାଇଲଟ୍ ପ୍ରକଳ୍ପକୁ ମହିଳା ଯାତ୍ରୀଙ୍କ ତରଫରୁ ପ୍ରୋତ୍ସାହନ ମିଳିବା ପରେ ଏବେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଦେଶର ସମସ୍ତ ଜୋନ୍ କୁ ସଂପ୍ରସାରିତ କରାଯାଇଛି ।

ଟ୍ରେନରେ ମହିଳା ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ସୁରକ୍ଷା ବାହିନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଟ୍ରେନରେ ଯାତ୍ରା ସମୟରେ ମହିଳା ମାନେ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥା’ନ୍ତି । ଯେମିତି କି ଚୋରୀ, ଅସଦାଚରଣ, ମହିଳାଙ୍କ ମାସିକ ଧର୍ମ ଇତ୍ୟାଦି । ଏହି ସବୁ ସମସ୍ୟାର ସମାଧାନ ସହ ମହିଳା ଯାତ୍ରୀ ମାନେ କିଭଳି ସୁରକ୍ଷିତ ଟ୍ରେନ ଯାତ୍ରା କରିପାରିବେ ତାହା ଉପରେ ‘ମେରି ସହେଲି’ କାମ କରିବ ।

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ‘ମେରି ସହେଲି’ ଅଧିନରେ ଯାତାୟତ କରୁଥିବା ଟ୍ରେନ୍ ଗୁଡିକରୁ କୌଣସି ସମସ୍ୟା ଜନିତ ଫୋନ୍ କଲ ଆସିଲେ ତାହାକୁ ବରିଷ୍ଠ ଅଧିକାରୀ ସ୍ତରରେ ଯାଞ୍ଚ କରାଯିବ । ସୁରକ୍ଷା ସଂପର୍କିତ ଅଭିଯୋଗ ଗୁଡିକର ଫଇସଲା ଦିଗରେ ଆରପିଏଫ୍ ତ୍ୱିରିତ ପଦକ୍ଷେପ ଗ୍ରହଣ କରିବ । ଆରପିଏଫ୍ ମହିଳା ମାନଙ୍କର ସିଟ୍ ନମ୍ବର ସଂଗ୍ରହ କରି ଯାତ୍ରା ବେଳେ ପ୍ରତି ରେଳ ଷ୍ଟେସନକୁ ବିବରଣୀ ପ୍ରଦାନ କରିବ । ରେଳ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ୍ କର୍ମଚାରୀମାନେ ରହଣି ଷ୍ଟେସନ ଗୁଡିକରେ ମହିଳାଯାତ୍ରୀ ଥିବା କୋଚ୍ ଓ ବର୍ଥର ଅନୁଧ୍ୟାନ କରିବେ ।