ମେରିକମଙ୍କ ସହ ହୋଇଛି କି ଧୋକା? ପଦକ ଦୌଡରୁ ବାଦ୍ ପଡିଲେ, ଫଳାଫଳକୁ ନେଇ ବଡ ପ୍ରଶ୍ନ ଉଠାଇଲେ ଷ୍ଟାର ବକ୍ସର ମେରିକମ୍ ।

427

କନକ ବ୍ୟୁରୋ : ଭାରତର ଷ୍ଟାର ମହିଳା ବକ୍ସର ମେରିକମଙ୍କ ଆଉ ଏକ ଅଲମ୍ପିକ ପଦକ ଆଶା ମଉଳିଲା । ପ୍ରି-କ୍ୱାର୍ଟରଫାଇନାଲରେ ପରାଜିତ ହେବା ସହ ମେରିକମଙ୍କ ଟୋକିଓ ଅଲମ୍ପିକ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡିଛି । କଲମ୍ବିଆର ବକ୍ସର ଇନଗ୍ରିଟ୍ ଭାଲେନ୍ସିଆଙ୍କ ଠାରୁ ପରାଜିତ ହେବା ସହ ପଦକ ଦୌଡରୁ ବାଦ୍ ପଡିଛନ୍ତି ମେରିକମ ।

ମ୍ୟାଚ୍ ଫଳାଫଳକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମେରିକମ । ମ୍ୟାଚ୍ ଶେଷ ହେବା ପରେ ସେ ଜିତିଥିବା ନେଇ ଆଶ୍ୱସ୍ତ ଥିଲେ । କିନ୍ତୁ ଯେତେବେଳେ ରେଫରୀ ଫଳାଫଳ ଘୋଷଣା କଲେ ତାହା ମେରିକମଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମ୍ୟାଚ୍ ପରେ ଫଳାଫଳ ନିଷ୍ପତ୍ତିକୁ ଦୁଃଭାଗ୍ୟପୂର୍ଣ୍ଣ କହିବା ସହ ଅନ୍ତର୍ଜାତୀୟ ବକ୍ସିଂ ଫେଡରେସନ ଉପରେ ବଡ ପ୍ରଶ୍ନବାଚୀ ଛିଡା କରିଛନ୍ତି ମେରିକମ୍ । ଏଭଳି ନିଷ୍ପତ୍ତି ବିରୋଧରେ ସିନା ସ୍ୱର ଉଠାଇହେବନି କିନ୍ତୁ ସତ କଣ ପୂରା ବିଶ୍ୱ ଦେଖିଛି ବୋଲି କହିଛନ୍ତି ମେରିକମ୍ ।

ମହିଳା ଫ୍ଲାଏଓ୍ବେଟ ବର୍ଗରେ ମେରିକମ୍ ଓ ଭାଲେନ୍ସିଆଙ୍କ ମଧ୍ୟରେ ୧୬ ରାଉଣ୍ଡର ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା । ତେବେ ଶେଷରେ ମେରିକମ ୩-୨ରେ ହାରି ଯାଇଥିଲେ । ପୂର୍ବରୁ ଭାଲେନ୍ସିଆ ଓ ମେରିକମଙ୍କ ମଧ୍ୟରେ ଦୁଇଥର ମୁକାବିଲା ହୋଇଥିବାବେଳେ ଦୁଇଥରଯାକ ମେରିକମ ବିଜୟୀ ହୋଇଥିଲେ । ଆଜି କିନ୍ତୁ ମେରିକମ ନିଜର ପୂର୍ବ ସଫଳତା ଦୋହରାଇ ପାରିନଥିଲେ । ଆଜିର ପରାଜୟ ସହ ମେରିକମ କ୍ବାର୍ଟରଫାଇନାଲରେ ପ୍ରବେଶ କରିପାରିନାହାନ୍ତି । ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବବା ଭାଲେନ୍ସିଆ ଏଥର ବି ନିଜର ପଦକ ଅଭିଯାନ ଜାରି ରଖିଛନ୍ତି ।