ଯବାନ ଜାଣିଥିଲେ ଯୁଦ୍ଧ ହେବ! କନ୍ଧମାଳ ସହିଦ ଚନ୍ଦ୍ରକାନ୍ତଙ୍କ ଭଉଣୀ କହିଲେ, ୨ସପ୍ତାହ ଆଗରୁ ଫୋନ କରିଥିଲେ ଭାଇ । କହିଥିଲେ, ସୀମାରେ କିଛି ବି ଘଟିପାରେ, ବାପା ମାଙ୍କ ଯତ୍ନ ନେବାକୁ ଦେଇଥିଲେ ପରାମର୍ଶ ।

446

କନକ ବ୍ୟୁରୋ: ଭାରତ-ଚୀନ ଭିତରେ ଭୟଙ୍କର ସ୍ଥିତି ହେବା ନେଇ ପୂର୍ବରୁ ଆଶଙ୍କା କରି ସାରିଥିଲେ ଶହୀଦ ଯବାନ । ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶହୀଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଭଉଣୀ । ଭାରତ-ଚୀନ ସୀମାରେ ମୁହାଁମୁହିଁ ହେବାର ପ୍ରାୟ ଦୁଇ ସପ୍ତାହ ତଳେ ଚନ୍ଦ୍ରକାନ୍ତ ନିଜ ଘରକୁ ଫୋନ କରି କହିଥିଲେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏଣୁ ପିତା ମାତାଙ୍କ ଦେଖାରଖା କରିବା ପାଇଁ ନିଜ ଭଉଣୀଙ୍କୁ କହିଥିଲେ ।

ଭାରତ ଓ ଚୀନ ଭିତରେ ବଢୁଥିବା ତିକ୍ତତାକୁ ଦେଖି ଗଲୱାନ ଘାଟିରେ ମୁତୟନ ଯବାନ ସମ୍ଭାବ୍ୟ ଯୁଦ୍ଧ ନେଇ ଆଶଙ୍କା କରି ସାରିଥିଲେ । ଏନେଇ ଶହୀଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ନିଜ ଘରକୁ ଫୋନ କରିଥିଲେ । କହିଥିଲେ ଭାରତ-ଚୀନ ସୀମାରେ ସ୍ଥିତି ଭଲ ନାହିଁ ।

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ବିଷୟରେ ଜାଣିବା ପରେ ବି ଦେଶମାଟି ପାଇଁ ନିଜ ଜୀବନକୁ ପଛରେ ପକାଇ ସୀମାର ଜାଗ୍ରତ ପ୍ରହାରୀ ସାଜିଥିଲେ ଚନ୍ଦ୍ରକାନ୍ତ । ଆଉ ଚୀନ ସୈନିକଙ୍କ ସହ ଲଢେଇ କରି ଶେଷରେ ଶହୀଦ ହୋଇଛନ୍ତି କନ୍ଧମାଳ ଜିଲ୍ଲା ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ।

୨୦୧୪ ମସିହାରେ ସେନାରେ ଯୋଗ ଦେଇଥିଲେ ଚନ୍ଦ୍ରକାନ୍ତ । ଆରମ୍ଭରୁ ହଁ କହି ଆସୁଥିଲେ ଦେଶ ପାଇଁ ଜୀବନ ଦେବେ । ଶେଷରେ ଦେଶର ଅଖଣ୍ଡତା ପାଇଁ ଲଢେଇ କରି ଶହୀଦ ହୋଇଛନ୍ତି ଏହି ବୀର ଓଡିଆ ପୁଅ । ଚନ୍ଦ୍ରକାନ୍ତଙ୍କ ସହ ମୟୁରଭଞ୍ଜର ନନ୍ଦୁରାମ ସୋରେନ ବି ସୀମାରେ ସାହସର ସହ ଲଢିଛନ୍ତି ଓ ଶହୀଦ ହୋଇଛନ୍ତି,ସାରା ଦେଶ ପାଇଁ କିନ୍ତୁ ସବୁଦିନ ଏମାନେ ଅମର ହୋଇ ରହିବେ ।