୧୯ ବର୍ଷ ପରେ ବାପା ହୋଇଥାନ୍ତେ…କିନ୍ତୁ ଛୁଆ ମୁହଁରୁ ବାପା ଡାକ ଶୁଣିବା ପୂର୍ବରୁ ସହିଦ ହୋଇଗଲେ ବୀର ଯବାନ କିଶୋର । ସାଥୀ ଯବାନଙ୍କୁ ଉଦ୍ଧାର କରିବା ବେଳେ ଛାତିରେ ବାଜିଲା ନକ୍ସଲଙ୍କ ଗୁଳି, ଦେଶ ପାଇଁ ଦେଲେ ଜୀବନ ।

452

କନକ ବ୍ୟୁରୋ : ଦୀର୍ଘ ୧୯ ବର୍ଷର ଆଶା ପୂରଣ ହୋଇଥାନ୍ତା । ସେ ଶୁଣିଥାନ୍ତେ ବାପା ଡାକ । ତାଙ୍କ ବୈବାହିକ ସମ୍ପର୍କର ସନ୍ତକ ଆସିବ, ଆଉ ତାକୁ ଉଭୟ ସ୍ୱାମୀ-ସ୍ତ୍ରୀ ସ୍ୱାଗତ କରିବେ । ଏମିତି କେତେ କ’ଣ ଭାବିଥିଲେ ଛତିଶଗଡ ପୁଲିସରେ କାର୍ଯ୍ୟରତ ଯବାନ । ହେଲେ ସେ ଆଶା, ସେ ସ୍ୱପ୍ନ ସବୁ ଜଳି ଯାଇଛି ଜୁଇରେ । ପିଲା ମୁହଁରୁ ବାପା ଡାକ ଶୁଣିବା ଆଗରୁ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଯାଇଛନ୍ତି ଡିଆରଜି ଯବାନ କିଶୋର ଆଣ୍ଡ୍ରିକ୍ ।

ସ୍ତ୍ରୀ ୪ ମାସର ଗର୍ଭବତୀ, ସ୍ୱାମୀ ସହିଦ । ବିବାହର ୧୯ ବର୍ଷ ପରେ ବାପା ହୋଇଥାନ୍ତେ ସହିଦ ଯବାନ । ବିବାହର ଦୀର୍ଘ ୧୯ ବର୍ଷ ପରେ ବାପା ହୋଇଥାନ୍ତେ ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ସହିଦ ଡିଆରଜି ଯବାନ କିଶୋର ଆଣ୍ଡ୍ରିକ୍ । ୨୦୦୩ରୁ ବିବାହ ହୋଇଥିବା ବେଳେ ଏବେ ସ୍ତ୍ରୀ ୪ ମାସର ଗର୍ଭବତୀ ଥିବା ଜାଣି ବେଶ ଖୁସିଥିଲେ କିଶୋର । ହେଲେ କର୍ତ୍ତବ୍ୟ ପାଳନ କରି ରକ୍ତମୁଖା ନକ୍ସଲଙ୍କ କବଳରୁ ୩ ସାଥି ଯବାନଙ୍କୁ ଉଦ୍ଧାର କରି ନିଜେ ସହିଦ ହୋଇଯାଇଛନ୍ତି । ସ୍ୱାମୀ ସହିଦ ହୋଇଯିବା ପରେ ଗର୍ଭରେ ବଢୁଥିବା ସନ୍ତାନକୁ ନେଇ କେମିତି ଆଗକୁ ବଢିବେ, ତାହା ଚିନ୍ତା କରି ପାରୁନାହାନ୍ତି ସହିଦଙ୍କ ପତ୍ନୀ ।

୨୦୧୧ ମସିହାରେ ଆସିଷ୍ଟାଂଟ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ ଡିଆରଜି ଯବାନ କିଶୋର ଆଣ୍ଡ୍ରିକ୍ । ଛତିଶଗଡ ବିଜାପୁର ଚେରପାଲ ଗାଁର କିଶୋରଙ୍କ ପରିବାରର ୪ ଜଣ ଭାଇ ଛତିଶଗଡ ପୁଲିସରେ କାର୍ଯ୍ୟରତ । କିଶୋରଙ୍କ ସମେତ ସାନ ଭାଇ ହେମନ୍ତ, ବଡବାପାଙ୍କ ପୁଅ ଓମକାର ଓ କମଲେଶ ଯବାନ ଭାବେ ନିୟୋଜିତ ଅଛନ୍ତି । ଆଉ ଜଣେ ଭାଇ ନିଲୁ ରାମ ଆଣ୍ଡ୍ରିକ୍ ୨୦୦୮ରେ ମାଓବାଦୀ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ ମାଓବାଦୀ ।