ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଂଚଭୂତରେ ଲୀନ ହେଲେ ସହିଦ ଇଶ୍ୱର ଚନ୍ଦ୍ର ଦୋରା । କଳାହାଣ୍ଡି ବେଲଖଣ୍ଡିରେ ଦିଆଗଲା ଶେଷ ସଲାମ
କନକ ବ୍ୟୁରୋ : କଫିନ୍ ଭିତରେ ପଲିଥିନ ଘୋଡେଇ ହୋଇ ଆସିଛନ୍ତି ଯବାନ ସ୍ୱାମୀ । ସୀମାରେ ସହିଦ ହୋଇଥିବା ସ୍ୱାମୀଙ୍କ ଶେଷ ଦର୍ଶନ ବ୍ୟାକୁଳ ହେଉଛନ୍ତି ସ୍ତ୍ରୀ । ପଲିଥିନ୍ ଭିତରୁ ସ୍ୱାମୀଙ୍କ ମୁହଁକୁ ଆଉଁଶି ପକାଉଛନ୍ତି । ସେପଟେ ପୁଅର ମରଶରୀର ପାଖରେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବୁଢି ମାଆ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏ ସବୁ ଭିତରେ ଆଉ ଏକ ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା, ବାପାଙ୍କ ପ୍ରାର୍ଥୀବ ଶରୀର ଆସୁଛି, ଘରେ ବାହାରେ ସଂପର୍କୀୟ ଓ ପ୍ରିୟଜନଙ୍କ ଗହଳଚହଳ ଲାଗିଛି । ୫ ବର୍ଷର କୁନି ଝିଅ ଖାଲି ବଲ ବଲ କରି ଚାହିଁଛି । କିଛି ବୁଝି ପାରୁନଥିବା ବୀରକନ୍ୟାକୁ ଦେଖି, ମାଆ କିଛି କହି ପାରୁନଥିବା ବେଳେ ଆଖିରୁ ଖାଲି ଧାର ଧାର ଲୁହ ଝରି ଆସୁଛି । ସ୍ୱାମୀଙ୍କ ସହିଦ ପାଇଁ ଗର୍ବ କରିବେ ନା କୁନି ଝିଅକୁ ବୁଝାଇବେ କିଛି ବୁଝି ପାରୁନଥିଲେ ବୀରପତ୍ନୀ ।
ତ୍ରିପୁରାରେ କାର୍ଯ୍ୟରତ ଥିବା ସମୟରେ ସହିଦ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ବେଳଖଣ୍ଡି ଗାଁର ବିଏସଏଫ ଯବାନ ଇଶ୍ୱର ଚନ୍ଦ୍ର ଦୋରା । ଗତ ୩ ଦିନ ତଳେ ସହିଦ ହୋଇଥିବା ଇଶ୍ୱର ଆଜି ଛୁଟିରେ ଗାଁକୁ ଆସିଥାନ୍ତେ । ଛୁଟି ମିଳି ସାରିଛି, ଘରକୁ ଆସିବେ ବୋଲି ଫୋନ୍ ଯୋଗେ ସ୍ତ୍ରୀଙ୍କୁ କହିଥିଲେ । ତାଙ୍କ କହିବା ଅନୁସାରେ, ସେ ଆସିଛନ୍ତି ହେଲେ ଛୁଟି ନେଇ ନୁହେଁ, ସବୁ ଦିନ ପାଇଁ ବିଦାୟ ନେଇ ।
ସହିଦ ଇଶ୍ୱରଙ୍କ ପାର୍ଥିବ ଶରୀର ଗାଁରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ । ଇଶ୍ୱର ଚନ୍ଦ୍ର ଅମର ରହେ ଧ୍ୱନୀରେ ଗୁଂଜରିତ ହୋଇଥିଲା ପୁରା ପରିବେଶ ।
ସ୍ତ୍ରୀ, ମା, ପରିବାରର ଅନ୍ୟ ସଦସ୍ୟ ଓ ସ୍ଥାନୀୟ ଜନପ୍ରତିନିଧି ସହିଦଙ୍କ ଶେଷ ଦର୍ଶନ କରିବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ସହିଦ ଇଶ୍ୱରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେଶ ଜଣେ ଯବାନଙ୍କୁ ହରେଇଥିବା ବେଳେ କୁନି କୁନି ପିଲା ବାପା ଛେଉଣ୍ଡ ହୋଇଯାଇଛନ୍ତି ।