ସହିଦ ପୁଅକୁ ଝୁରି ଝୁରି ଅଚେତ ହୋଇପଡୁଛି ମା’ । ବାଟ ଚାହିଁ ରହିଛନ୍ତି କୁନି ପୁଅ , ଝିଅ । ସହିଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ ।

231

କନକ ବ୍ୟୁରୋ: ପୁଅ କଥା କହି କାନ୍ଦି କାନ୍ଦି ଅଚେତ୍ ହୋଇପଡୁଛି ସହିଦ ପୁଅର ମା’ । ଆର ମାସରେ ଘରକୁ ପୁଅର ଜନ୍ମଦିନ ପାଳିବାକୁ ଆସିଥାନ୍ତେ କର୍ଣ୍ଣେଲ ମନପ୍ରୀତ । ସପ୍ତାହେ ରହିଥାନ୍ତେ ସବୁ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥାନ୍ତେ । ୩/୪ ଘଣ୍ଟା ପୂର୍ବରୁ ମା’ଙ୍କ ସହ ଫୋନରେ କଥା ବି ହୋଇଥିଲେ । କହିଲେ ଆଉ କିଛି ସମୟ ପରେ ଫୋନ୍ କରିବେ । ହେଲେ ଆଉ ସେ ଫୋନ୍ କଲ୍ ଆସିଲାନି । ଆସିଲା ପୁଅ ମନପ୍ର୍ରୀତଙ୍କ ସହିଦ ହେବା ଖବର । ପୁଅର ଦେହାନ୍ତ ଖବର ଶୁଣି ଯେମିତି ଘର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା । ପତ୍ନୀ ଜଗମୀତଙ୍କୁ ଏବିଷୟରେ କିଛି କୁହାଯାଇନଥିଲେ ବି ସେ ପରେ ଏହା ଜାଣିବାକୁ ପାଇଲେ । କାନ୍ଦ ବୋବାଳିରେ ଫାଟିପଡୁଛି ସହିଦ କର୍ଣ୍ଣେଲ ମନପ୍ରୀତ ସିଂଙ୍କ ଘର ।

ଦେଶସେବା ତଥା ସେନାରେ ସେବା କ୍ଷେତ୍ରରେ ମନପ୍ରୀତ ଥିଲେ ତୃତୀୟ ପିଢି । ତାଙ୍କ ଜେଜେବାପା ସେନାରୁ ଅବସର ନେଇଥିବାବେଳେ ତାଙ୍କ ବାପା ଓ ଦୁଇ ଦାଦା ମଧ୍ୟ ସେନାରେ ଯୋଗ ଦେଇ ଦେଶସେବାର ସୌଭାଗ୍ୟ ପାଇଥିଲେ । ତାଙ୍କର ବାଟକୁ ଅନୁସରଣ କରି ୨୦୦୩ରେ ସିଡିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେନାରେ ଯୋଗ ଦେଇଥିଲେ । ୨୦୦୫ରେ ସେ ଲେପ୍ଟେନାଣ୍ଟ ହେଲେ । ଏହାପରେ କର୍ଣ୍ଣେଲ ପଦ ପାଇଥିଲେ । ୨୦୧୬ରେ ତାଙ୍କର ବିବାହ ହୋଇଥିଲା ଜଗମୀତ କୌରଙ୍କ ସହ, ଯିଏ ଜଣେ ଶିକ୍ଷୟୀତ୍ରୀ । ୨୦୨୧ରେ ଅଦମ୍ୟ ସାହାସ ପାଇଁ ତାଙ୍କୁ ମିଳିଥିଲା ଗ୍ୟାଲେଣ୍ଟ୍ରି ସେନା ମେଡାଲ । ସବୁକିଛି ହସଖୁସିରେ ଚାଲିଥିଲା । ହେଲେ କିଏ ଜାଣିଥିଲା ବୀର ପୁଅ ଏତେଶୀଘ୍ର ଦେଶ ପାଇଁ ସହିଦ ହୋଇଯିବ ବୋଲି । ଭୟ ବୋଲି କ’ଣ ଜାଣିନଥିବା ମନପ୍ରୀତଙ୍କ ସାହସିକତାକୁ ମନେପକାଇ ଭାବବିହ୍ୱଳ ହେଉଛନ୍ତି ଶ୍ୱଶୁର ଜଗଦେବ ସିଂ ଓ ସମ୍ପର୍କୀୟ ।

ବାପା ମନପ୍ରୀତଙ୍କ ବାଟକୁ ଚାହିଁ ରହିଛନ୍ତି କୁନିକୁନି ଦୁଇ ପୁଅ ଝିଅ । ହେଲେ ଦେଶ ପାଇଁ ବଳିଦାନ ଦେଇ ସିହିଦ ହୋଇଯାଇଛନ୍ତି ତାଙ୍କର ସୁପରହିରୋ ମନପ୍ରୀତ ସିଂ । ତାଙ୍କ ପାଇଁ ଘରଠୁ ରାଜ୍ୟ ତଥା ଦେଶ ସବୁଠି ଶୋକର ଛାୟା , ସମସ୍ତଙ୍କ ଆଖିରେ ଲୁହ ।