କନକ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେବ ବିଶ୍ୱକପ ଫଇନାଲ ମ୍ୟାଚ । ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଭାରତ । ତେବେ ଏହି କଡା ମୁକାବିଲା ପାଇଁ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି । ସେହିପରି ୫ମ ଥରର ଚାମ୍ପିୟନକୁ ହରାଇବାକୁ ଭାରତ ବି ପ୍ରସ୍ତୁତ ହୋଇସାରିଲାଣି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ପୂର୍ବ ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

Advertisment

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ମିଚେଲ ମାର୍ଶ ଫ୍ରାଞ୍ଚାଇଜଙ୍କ ସହ ୬ ମାସ ତଳେ ପଡକାଷ୍ଟ ବେଳେ ବିଶ୍ୱକପ ଫାଇନାଲର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ କି ଅଷ୍ଟ୍ରେଲିଆ ଭାରତକୁ ବଡ ବ୍ୟବଧାନରେ ପରାସ୍ତ କରି ଷଷ୍ଠଥର ପାଇଁ ଚାମ୍ପିୟନ ହେବ । ପଡକାଷ୍ଟରେ ମାର୍ଶଙ୍କୁ ପଚରାଯାଇଥିଲା କି କିଛିଦିନ ପରେ ବିଶ୍ୱକପ ଆରମ୍ଭ ହେବ ଏହାକୁ ନେଇ ଆପଣ କଣ କହିବେ, ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ବିଶ୍ୱକପରେ ଅଷ୍ଟ୍ରେଲିଆ ଅପରାଜିତ ରହି ଭାରତକୁ ଫାଇନାଲରେ ପରାସ୍ତ କରିବ । ଅଷ୍ଟ୍ରେଲିଆ ୨ ୱିକେଟ ହରାଇ ୪୫୦ ରନ କରିବ ଆଉ ଭାରତ ୬୫ରେ ଅଲଆଉଟ ହେବ ।

ତେବେ ମିଚେଲଙ୍କ ଏହି ବୟାନ ଏବେ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି । ସେ କରିଥିବା ଭବିଷ୍ୟବାଣୀରୁ ଗୋଟିଏ ସତ ହୋଇ ସାରିଛି ଯେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚି ସାରିଛି । ହେଲେ ଅନ୍ୟଟି ହୋଇପାରିନି । କାରଣ ସେ କହିଥିଲେ ଅଷ୍ଟ୍ରେଲିଆ ଅପରାଜିତ ରହିବ, ହେଲେ ଏଠାରେ ଏହାର ବିପରୀତ ହୋଇଛି ଆଉ ଭାରତ ଅପରାଜୟ ରହିଛି । ତେବେ ଶେଷ ଭବିଷ୍ୟବାଣୀ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ଭାରତ-ଅଷ୍ଟ୍ରେଲିଆ ଫାଇନାଲକୁ ନେଇ ମିଚେଲ ମାର୍ଶ କରିଥିବା ଭବିଷ୍ୟବାଣୀ କେତେ ସତ ହେଉଛି ତାହା ଦେଖିବା ବାକି ରହିଲା ।

ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲ ଟିକେଟ ହାତେଇଥିଲା । ସେହିପରି ଅଷ୍ଟ୍ରେଲିଆ ଦକ୍ଷିଣଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଚଳିତ ବିଶ୍ୱକପରେ ଭାରତ ବେଶ ଚମତ୍କାର ପ୍ରଦର୍ଶନ କରି ଆସିଛିା ଏହି ବିଶ୍ୱକପରେ ଭାରତ ଏଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇ ନାହିଁ । ସେହିପରି ଭାରତ ତାର ପ୍ରଥମ ଲିଗ ମ୍ୟାଚରେ ହିଁ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା । ତେବେ ବିଶ୍ୱକପ ଫାଇନାଲରେ ଭାରତ ପାଖରେ ଏକ ବଡ ସୁଯୋଗ ରହିଛି ଟ୍ରଫି ହାତେଇବା ପାଇଁ ଆଉ ୨୦୦୩ ବିଶ୍ୱକପର ପ୍ରତିଶୋଧ ନେବାର ।

ବିଶ୍ୱକପରେ ଅଷ୍ଟ୍ରେଲିଆ ୫ ଥର ଟ୍ରଫି ଜିତିଥିବା ବେଳେ ଭାରତ ୨ଥର ଚାମ୍ପିୟନ ହୋଇଛି । ତେବେ ତୃତୀୟ ଥର ପୁଣି ବିଶ୍ୱ ବିଜୟୀ ହେବା ପାଇଁ ଭାରତ ଅପେକ୍ଷା କରି ରହିଛି । ଚଳିତ ବିଶ୍ୱକପରେ ଭାରତ ବେଶେ ଶକ୍ତିଶାଳୀ ରହିଥିବା ବେଳେ ବିଶ୍ୱକପ ରେକର୍ଡ କିନ୍ତୁ ଅଷ୍ଟ୍ରେଲିଆ ସପକ୍ଷରେ ଯାଉଛି ।