କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ଲୋକଙ୍କ ସହ ଏମିତି ବର୍ବର ବ୍ୟବହାର କରନ୍ତି ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟ । ସାଂଘାତିକ କଥା ହେଉଛି ଆଇଆଇସିଙ୍କ ନାଁରେ ମାଳମାଳ ଅଭିଯୋଗ ଆସୁଛି, ହେଲେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଦୋନ୍ନତି ପାଇ ଡିଏସପି ହୋଇଛନ୍ତି, କିନ୍ତୁ କେନ୍ଦ୍ରାପଡା ଛାଡି ଯାଉ ନାହାନ୍ତି ।

Advertisment

ଅଭିଯୋଗ : କେନ୍ଦ୍ରାପଡାର ଦୁଇ ପ୍ରତିଷ୍ଠିତ ଡାକ୍ତର ଶିବାଶିଷ ସାହୁ ଓ ଦେବାଶିଷ ସାହୁ । ସାମାନ୍ୟ ଘଟଣା ପାଇଁ ନର୍ସିଂ ହୋମରୁ ଦୁଇ ଡାକ୍ତରଙ୍କୁ ଉଠାଇ ଆଣି ନିସ୍ତୁକ ମାଡ ମାରିବା ସହ ଅନ୍ତବସ୍ତ୍ର ପିନ୍ଧାଇ ହାଜତରେ ରଖିଥିଲେ   । ଦୁଇ ଡାକ୍ତରଙ୍କ ଦେହରେ ଆଇଆଇସି ଜ୍ୟୋତିରଂଜନ ମାଡ ମାରିଥିବା ଚିହ୍ନର ଫଟୋ ଓ ହାଜତ ଭିତରୁ ହାତ ଯୋଡି ରହିଥିବା ଫଟୋ ଏବେ ଭାଇରାଲ ହେଉଛି ।

ଅଭିଯୋଗ : ଡାକ୍ତରଙ୍କ ଭଳି ଆଇଆଇସିଙ୍କ ହାବୁଡରେ ପଡିଥିଲେ କକାଟ ଗାଁର ଦୁଇ ଭାଇ ସନ୍ତୋଷ ପଣ୍ଡା ଓ ସିଦ୍ଧାର୍ଥ ପଣ୍ଡା । ପୂଜା କରି ପରିବାର ଚଳାଉଥିବା ଏହି ଦୁଇ ଭାଇଙ୍କୁ ଘରୋଇ କଳି ମାମଲାରେ ଥାନାକୁ ଡକାଇ ଅତି ବର୍ବରତାର ସହ ଜ୍ୟୋତିରଂଜନ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜ୍ୟ ମାନବାଧିକାର କମିସନରେ ଅଭିଯୋଗ କରିଛନ୍ତି ଦୁଇ ଭାଇ ।

ଅଭିଯୋଗ : କେବଳ ସାଧାରଣ ଲୋକ ନୁହେଁ ପୋଲିସ ଅଧିକାରୀଙ୍କୁ ବି ଛାଡି ନାହାନ୍ତି ଏହି ଥାନାବାବୁ । ଏସଆଇ ରମାକାନ୍ତ ବେହେରାଙ୍କୁ ଥାନାରେ ଜାତିଆଣ ଆକ୍ଷେପ କରିବା ସହ ମାଡମାରି ହାଜତରେ ପୁରେଇ ଦେବାକୁ ଧମକ ଦେଇଥିବଲେ ଜ୍ୟୋତିରଂଜନ ସାମନ୍ତରାୟ । ଏହାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ରମାକାନ୍ତ ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ।

ଅଭିଯୋଗ : କେନ୍ଦ୍ରାପଡା ଜିଲ୍ଲାର ଯେଉଁ ସାମ୍ବାଦିକ ତାଙ୍କ ବିରୋଧରେ ଖବର ପ୍ରକାଶ କରନ୍ତି ତାଙ୍କୁ ମିଛ ମାମଲାରେ ଛନ୍ଦି ଦେବା ଅଭିଯୋଗ ମଧ୍ୟ ରହିଛି ତାଙ୍କ ନାଁରେ ।

କେନ୍ଦ୍ରାପଡା ଜିଲ୍ଲାରେ ଦୀର୍ଘ ୮ ବର୍ଷ ହେଲା ଜ୍ୟୋତିରଂଜନ ସାମନ୍ତରାୟ ଆସ୍ଥାନ ଜମାଇ ଅଛନ୍ତି । ଅନ୍ୟ ଜିଲ୍ଲାକୁ ବଦଳି ହେଲେ ବାତିଲ କରି କେନ୍ଦ୍ରାପଡାରେ ରହୁଛନ୍ତି । ଏପରି କି ଚଳିତ ମାସରେ ଆଇଆଇସିରୁ ଡିଏସପିକୁ ପଦୋନ୍ନତି ପରେ ମଧ୍ୟ ଥାନା ଛାଡି ଯାଉ ନାହାନ୍ତି । ପ୍ରଶ୍ନ ଉଠୁଛି
ମାଳମାଳ ଅଭିଯୋଗ ସତ୍ୱେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
ଥାନାରେ ଥାର୍ଡ ଡିଗ୍ରୀ କରିବାକୁ ତାଙ୍କୁ କିଏ ଅନୁମତି ଦେଉଛି?
ଉପରିସ୍ଥ ଅଧିକାରୀ ସବୁ ଜାଣି କାହିଁକି ଚୁପ ରହୁଛନ୍ତି?
ଆଇଆଇସି କାହାର ଅଭୟବରଦାନ ପାଇଛନ୍ତି?
କେଉଁ କ୍ଷମତାଶାଳୀଙ୍କ ବଳରେ ଗୁଣ୍ଡାଗିରି କରୁଛନ୍ତି ଜ୍ୟୋତିରଂଜନ?