ମଶାଣୀରେ ମାଆଙ୍କୁ ମୁଖାଗ୍ନୀ ଦେବାର କିଛି ଘଣ୍ଟା ଭିତରେ ଡ୍ୟୁଟିରେ ଯୋଗଦେଲେ, ବାତ୍ୟା ମୁକାବିଲା କଲେ… ମାଆ ମୃତ୍ୟୁର ଦୁଃଖ ଭିତରେ ବାତ୍ୟା ସହ ଲଢି ଲୋକଙ୍କ ଜୀବନ ବଞ୍ଚାଇଲେ ପୋଲିସ ବାବୁ ।

600

କନକ ବ୍ୟୁରୋ: ମଶାଣୀରେ ମାଆର ଶେଷକୃତ୍ୟ ସାରି ଫେରିଲେ, ମାଡି ଆସୁଥିବା ବାତ୍ୟାର ମୁକାବିଲା କାମରେ ଲାଗିପଡିଲେ । ପୁଅର କର୍ତ୍ତବ୍ୟ କଲେ, ପୋଲିସର ବି ଡ୍ୟୁଟି ବି ନିଭାଇଲା । ମାଆ ମୃତ୍ୟୁର ଦୁଃଖ ଭିତରେ ଆଉ ଏକ ଦୁର୍ଦ୍ଦଶାର ସାମ୍ନା କରି ଶ୍ମଶାନ ଓ ସେବା ମଝିରେ ସାହସୀ ଯୋଦ୍ଧା ସାଜିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରା ।

ଗୋଟେ ପଟେ ସମୁଦ୍ର ମଝିରୁ ମାଡି ଆସୁଥିଲା ବାତ୍ୟା । ଆସୁଥିବା ୟାସ ପାଇଁ ସରକାରୀ ସ୍ତରରେ ଘନଘନ ହେଉଥିଲା ବୈଠକ । ଲୋକଙ୍କ ଧନଜୀବନ କେମିତି ରକ୍ଷା କରାଯାଇ ପାରିବ, ବାତ୍ୟାର ସଫଳ ମୁକାବିଲା କେମିତି ହୋଇପାରିବ ସବୁ ଥାନା ଓ ଜିଲ୍ଲା ପ୍ରଶାସନ ନଜର ରଖିଥିଲେ । ଆଉ ଏତିକି ବେଳେ ମେ ୨୧ ତାରିଖ ଦିନ ଥାନାଧିକାରୀ କାଳନ୍ଦୀଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ହୃଦଘାତରେ ପ୍ରାଣ ହରାଇଥିଲେ ୮୫ ବର୍ଷର ଆଇଆଇସିଙ୍କ ମାଆ । କାଳନ୍ଦୀଙ୍କ ପାଖରେ ମାଆ ରହୁଥିବାରୁ ମୃତ୍ୟୁ ପରେ ମାଆଙ୍କ ମୃତଦେହକୁ ନିଜ ପୈତୃକ ଘର ଯାଜପୁର ବିଞ୍ଝାରପୁରକୁ ନେଇଥିଲେ ।

ଆଉ ସେଠାରେ ମାଆଙ୍କ ଶେଷକୃତ୍ୟ ସାରି, ସବୁ ରୀତିନୀତି ସମ୍ପନ କରି ସେହି ଦିନ ହିଁ ଫେରି ଆସିଥିଲେ ପୋଲିସ ବାବୁ । ଆଉ ମାଆଙ୍କ ଅନ୍ତିମ ସଂସ୍କାରର କେଇ ଘଣ୍ଟା ପରେ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ । କାରଣ ତାଙ୍କ ମୁଣ୍ଡ ଉପରେ ଥିଲା ଲୋକଙ୍କ ଜୀବନ ବଞ୍ଚାଇବାର ଚିନ୍ତା, ଲୋକଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ । ଯିଏ ଲୋକଙ୍କ ପାଇଁ ନିଜକୁ ସେବାରେ ଲଗାଇ ଦେଇଛି ସେ ବା କେମିତି ଘରେ ରହିପାରିବ । ତେଣୁ ମାଆଙ୍କ ମୃତ୍ୟୁ ଦିନ ହିଁ ବାତ୍ୟା ମୁକାବିଲାରେ ଲାଗିପଡିଥିଲେ ମାର୍ଶାଘାଇ ଆଇଆଇସି କାଳନ୍ଦୀ ବେହେରା । ଆଉ ତଳିଆ ଅଞ୍ଚଳର ଲୋକ, କଚ୍ଚା ଘରେ ଥିବା ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ ।

ଖାଲି ସେତିକି ନୁହେଁ ବାତ୍ୟା ଯିବା ପରେ ରାସ୍ତାଘାଟରେ ଉପୁଡି ପଡିଥିବା ଗଛସଫା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୁନରୁଦ୍ଧାର କାମରେ ଲାଗିପଡିଥିଲେ ଥାନା ବାବୁ । ମାଆଙ୍କ ମୃତ୍ୟୁର ଦୁଃଖକୁ ଛାତିରେ ଚାପି ଧରି କର୍ତ୍ତବ୍ୟ ସମ୍ପାଦନ କରିଥିବା ଆଇଆଇସିଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡା ପୋଲିସ ଠାରୁ ଓଡିଶା ପୋଲିସ ଯାଏଁ ବିପର୍ଯ୍ୟୟ ବେଳେ କାଳନ୍ଦୀଙ୍କ ଏ ବଡପଣ ପାଇଁ ସାବାସୀ ଦିଆଯାଇଛି । ବାତ୍ୟା ବେଳେ ବିନାସ୍ୱାର୍ଥର ସେବାକୁ ଓଡିଶା ପୋଲିସ ନିଜ ଟ୍ୱିଟର ପେଜରେ ବାଃବାଃ କରିଛି । ସତରେ ମାଆଙ୍କ ମୃତ୍ୟୁ ପରେ ଦୁନିଆଟା ବେସାହାରା ଲାଗୁଥିଲେ ବି ଏମିତି ଏକ କଠିନ ପରିସ୍ଥିତିରେ ବାତ୍ୟା ଭଳି ଆଉ ଏ ବିପଦର ସାମ୍ନା କରି ଲୋକଙ୍କ ଧନଜୀବନ ରକ୍ଷା କରିଥିବା ଏ ପୋଲିସ ଅଫିସରଙ୍କ ଆଗରେ ନଇଁଯାଉଛି ମୁଣ୍ଡ ।