କନକ ବ୍ୟୁରୋ : ପୋଡୁଚାଷ ନୁହେଁ ଗେଣ୍ଡୁଫୁଲ ଚାଷ ବଦଳାଇଛି ଆଦିବାସୀଙ୍କ ଜୀବନଶୈଳୀ । ଓଡ଼ିଶା ଜୀବିକା ମିଶନ ସହାୟତାରେ ରାୟଗଡ଼ା କୋଲନରା ବ୍ଲକରେ ଏସଏଚଜି ମହିଳା ମାନେ କରୁଛନ୍ତି ଗେଣ୍ଡୁଫୁଲ ଚାଷ । ପାଖାପାଖି ୩ ବର୍ଷ ତଳେ ୪ ଏକର ଜମିରେ ଏହି ଚାଷ ଆରମ୍ଭ କରିଥିଲେ ମହିଳା । ଭଲ ରୋଜଗାର ହେବାରୁ ଏବେ ୪୦ ଏକର ଜମିରେ କରିଛନ୍ତି ଗେଣ୍ଡୁ ଚାଷ । ୭ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ ଚାଷ କରୁଛନ୍ତି । କମ୍ ପରିଶ୍ରମରେ ଭଲ ରୋଜଗାର ହେଉଥିବାରୁ ଗେଣ୍ଡୁଫୁଲ ଚାଷ ପ୍ରତି ମନବଳାଉଥିବା କହିଛନ୍ତି ଏହି ମହିଳା ମାନେ ।

ଉତ୍ପାଦିତ ହେଉଥିବା ଫୁଲ ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନୀ ହେଉଛି । ଏକର ପିଛା ଦେଢ ଲକ୍ଷ ଟଙ୍କା ରୋଜଗାର ହେଉଥିବାରୁ ଆଗକୁ ଏହି ଚାଷ ଅଧିକରୁ ଅଧିକ ଜମିରେ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଚାଷୀ । ପୂର୍ବରୁ ଏହି ମହିଳା ମାନେ ପାହାଡରେ ପୋଡୁ ଚାଷ ସହ ନିଜର ଅଳ୍ପ ଜମିରେ ଅନ୍ୟାନ୍ୟ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । ଏଥିରେ ପରିବାର ଚଳାଇବା କଷ୍ଟକର ହେଉଥିଲା । ମାତ୍ର ଏବେ ଏମାନଙ୍କ ଜୀବନଧାରଣରେ ପରିବର୍ତନ ଆସିଛି ।

ପ୍ରଗତୀ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରି ଏହା ଜରିଆରେ ଫୁଲ ବିକ୍ରି କରାଯାଉଛି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହେଉଛି ଏହି ଫୁଲ । କଟକ, ବ୍ରହ୍ମପୁର, ଭୁବନେଶ୍ୱର, ସମେତ ବିଜୟନଗରମ୍, ଛତିଶଗଡ଼, ରାୟପୁରକୁ ମଧ୍ୟ ବିକ୍ରି ପାଇଁ ପଠାଯାଉଛି ।