କନକ ବ୍ୟୁରୋ : ବିବାହିତ ଯୁବକଙ୍କୁ ମହଙ୍ଗା ପଡିଲା ଏକତରଫା ପ୍ରେମ । ଅଙ୍ଗନୱାଡି ଦିଦିଙ୍କୁ ପ୍ରେମ ନିବେଦନ କରି କାନ ଧରିବା ସହିତ ଗ୍ରାମବାସୀଙ୍କଠାରୁ ନିର୍ଦ୍ଧୁମ ଛେଚା ଖାଇଛନ୍ତି । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ । ଏହି ଗାଁର ଅଙ୍ଗନବାଡି ଦିଦି ସୁଭଦ୍ରା ବଳଙ୍କୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର କଲରୁ ଦୀର୍ଘଦିନ ଧରି ପ୍ରେମ ନିବେଦନ କରି ଆସୁଥିଲେ ।

Advertisment

ବାରମ୍ବାର କିନ୍ତୁ ଅଙ୍ଗନବାଡି ଦିଦି ତାଗିଦ କରିବା ସତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ କରିବା ସହ ତାଙ୍କୁ ବିବାହ କରିବା ପାଇଁ କହି ଆସୁଥିଲେ । ତେବେ ୧୩ ତାରିଖ ଦିନ ହଠାତ ଯୁବକ ଜଣଙ୍କ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଦୁର୍ବ୍ୟବହାର ଆଚରଣ କରିଥିଲେ । ପରେ ଗ୍ରାମବାସୀ ମାନେ ଏହି ଘଟଣା ଜାଣିବା ପରେ ସମ୍ପୃକ୍ତ ଯୁବକକୁ ଅଟକ ରଖିଥିଲେ ।

ଆଉ ଏଭଳି ଭୁଲ କରିବନି ବୋଲି ଯୁବକ ଜଣକ ଆଣ୍ଠୁଆ ବସିବା ସହ କାନ ଧରି ଗ୍ରାମବାସୀଙ୍କୁ ଭୁଲ ମାଗିଥିଲେ । ପରେ ଗ୍ରାମବାସୀ ମାନେ ଏହି ଯୁବକଙ୍କୁ ପୋଲିସର ଜିମା ଦେଇଥିଲେ । ସେପଟେ ମହିଳାଙ୍କ ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ । ପ୍ରାଥମିକ ତଦନ୍ତ ଅନୁସାରେ ଏକତରଫା ପ୍ରେମ କାରଣରୁ ଏଭଳି ଘଟଣା ଘଟିଥିବା ବାଙ୍କୀ ଏସଡିପିଓ ସୂଚନା ଦେଇଛନ୍ତି ।