ଅଟୋ ଚଳାଇ ସ୍ତ୍ରୀର ସ୍ୱପ୍ନ ପୂରା କଲେ ସ୍ୱାମୀ । ଅଭାବ ଅନଟନ ଭିତରେ କଠିନ ପରିଶ୍ରମ କରି ସ୍ତ୍ରୀଙ୍କୁ ଡାକ୍ତର କଲେ ଅଟୋଚାଳକ ।

5,589

କନକ ବ୍ୟୁରୋ : ନିଜର ଇଚ୍ଛା ଓ ଆତ୍ମବିଶ୍ୱାସ ବଳରେ ଅନେକ ଅସମ୍ଭବ କାମ ସମ୍ଭବ ହୋଇଥିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ । ଏମିତି ଆଉ ଏକ ଘଟଣା ରାଜସ୍ଥାନର ଚୋମୁରୁ ସାମ୍ନାକୁ ଆସିଛି । ଆଠବର୍ଷ ବୟସରେ ବିବାହ ହୋଇଯାଇଥିବା ରୁପା ଯାଦବ ପିଲାଟି ବେଳରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଏବଂ ତାଙ୍କର ଏହି ସ୍ୱପ୍ନକୁ ତାଙ୍କର ସ୍ୱାମୀ ପୂରା କରି ଦେଖାଇଛନ୍ତି ।

ରୁପା ଯାଦବ ନିଟ୍‌ ପରୀକ୍ଷାରେ ସଫଳ ହେବା ସହିତ ଅଲ ଇଣ୍ଡିଆ ର‍୍ୟାଙ୍କ୍‌ରେ ୨୨୮୩ ଓ ଓବିସିରେ ୬୫୮ ସ୍ଥାନ ହାସଲ କରିଛନ୍ତି । ରୁପା ପିଲାଟି ବେଳରୁ ଭଲ ପାଠ ପଢ଼ୁଥିଲେ । ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ବେଳେ ତାଙ୍କର ବିବାହ ହୋଇଯାଇଥିଲା । କିନ୍ତୁ ପାଠପଢ଼ା ପ୍ରତି ଥିବା ରୁପାଙ୍କ ଆଗ୍ରହ ତାଙ୍କୁ ଗୃହିଣୀରୁ ଡାକ୍ତରାଣୀ କରି ଦେଇଛି ।

୨୦୧୬ରେ ସେ ପ୍ରଥମ ଥର ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ର‍୍ୟାଙ୍କ ଅନୁସାରେ ରୁପାଙ୍କୁ ମହାରାଷ୍ଟ୍ରରେ ନିଯୁକ୍ତି ମିଳିଥିଲା । କିନ୍ତୁ ଶାଶୁଘର ଲୋକ ତାଙ୍କୁ ସେଠାକୁ ପଠାଇବାକୁ ରାଜି ନ ଥିଲେ । ଏହାପରେ ୨୦୧୭ରେ ସେ ପୁଣିଥରେ ନିଟ୍‌ ପରୀକ୍ଷା ଦେଇ ଅଲଇଣ୍ଡିଆ ର‍୍ୟାଙ୍କ୍‌ରେ ୨୨୮୩ ସ୍ଥାନ ହାସଲ କରିଥିଲେ ।

ସେହି ସଂଘର୍ଷମୟ ଦିନକୁ ମନେ ପକାଇ ରୁପା କହନ୍ତି, ‘ଏମିତି ଏକ ସମୟ ଥିଲା ଯେତେବେଳେ କି ପାରିବାରିକ ସ୍ଥିତି ବହୁତ ଦୁର୍ବଳ ଥିଲା । ପାଠପଢ଼ିବା ପାଇଁ ଅର୍ଥ ନଥିଲା । କିନ୍ତୁ ତା’ପରେ ବି ପାଠପଢ଼ା ପ୍ରତି ମନରେ ପ୍ରଗାଢ଼ ଆତ୍ମବିଶ୍ୱାସ ଥାଏ । ସ୍କୁଲ ଘରଠାରୁ ତିନି କିମି ଦୂରରେ ଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା । ବଡ଼ ହେବା ପରେ ପାଠପଢ଼ା ପ୍ରତି ରୁଚି ଥିବା ଦେଖିବା ସହିତ ଡାକ୍ତର ହେବାର ସ୍ୱପ୍ନ ଥିବା ଜାଣି ମୋର ସ୍ୱାମୀ ଓ ଭଉଣୀ-ଭିଣୋଇ ଅନେକ ସାହାଯ୍ୟ କରିବା ସହିତ କୋଚିଂ ବି ଦେଇଥିଲେ । ସ୍ୱାମୀ ଅଟୋ ଚଳାଇ ମୋର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରୁଥିଲେ ।’

ରୁପାଙ୍କ ପାଠପଢ଼ା ଦେଖି ତାଙ୍କ ସ୍ୱାମୀ ଶଙ୍କର ଲାଲ ଯାଦବଙ୍କର ବି ପାଠପଢ଼ା ପ୍ରତି ଆଗ୍ରହ ଆସିଥିଲା । ସେ ବି ମନ ଦେଇ ପାଠପଢ଼ା ଆରମ୍ଭ କରି ଦେଇଛନ୍ତି । ସମ୍ପ୍ରତି ଶଙ୍କର ଏବେ ଏମ.ଏ ପ୍ରଥମ ବର୍ଷର ଛାତ୍ର ଅଟନ୍ତି ।