ଗଛ ସହ ଗଛର ବାହାଘର । ବୈଦିକ ରୀତିନୀତିରେ ବିବାହ କଲେ ବର ଗଛ, ଓସ୍ତ ଗଛ ।

81

କନକ ବ୍ୟୁରୋ: ଯଜ୍ଞ କୁଣ୍ଡରେ ଜଳୁଛି ହୋମ ନିଆଁ, ପଡୁଛି ହାତଗଣ୍ଠି । ବାଜୁଛି ବାଜା ଓ ଶଙ୍ଖ ସହ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ତୁହାକୁ ତୁହା ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଚାଲିଛି ବାହାଘର । ତେବେ ଏ କୌଣସି ମଣିଷ ବାହାଘର ନୁହେଁ ଉଭୟ ବର କନ୍ୟା ପକ୍ଷ ଥାଇ ଚାଲିଛି ଗଛ ବାହାଘର । ରାୟଗଡା ସହର ପ୍ରେମ ପାହାଡରେ ବରଗଛର ଓସ୍ତ ଗଛ ସହ ବାହାଘର ହୋଇଛି । ବରଗଛ ବର ସାଜିଥିଲା ବେଳେ ଓସ୍ତ ଗଛ କନ୍ୟା ସାଜିଥିଲା । ଚୈତ୍ର ମାସ ଶୁକ୍ଲ ପକ୍ଷ ଚତୁର୍ଥୀ ତିଥିରେ ବଡ ଧୁମଧାମରେ ସମସ୍ତ ବୈଦିକ ରିତିରେ ଅନୁଷ୍ଠିତ ହୋଇଥିଲା ଏହି ବାହାଘର । ପୁରୁଣା ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ବୃକ୍ଷ ବାହାଘର କରାଯାଇଛି । ବରଗଛକୁ ନାରାୟଣ ଓ ଓସ୍ତ ଗଛକୁ ଲକ୍ଷ୍ମି ବୋଲି କୁହନ୍ତି । ବିଶ୍ୱାସ ରହିଛି ଏହି ଗଛ ଦୁଇଟିର ବାହାଘର କରିଲେ ଅଶେଷ ପୁଣ୍ୟ ମିଳିଥାଏ । ଯାହାର ଆଧାରରେ ବେଶ ଧୁମଧାମରେ ଏହି ଗଛ ବାହାଘର କରାଯିବା ସହିତ ଭୋଜି ଭାତର ଆସର ଜମିଛି । ଆଉ ନିମନ୍ତ୍ରିତ ଅତିଥି ମଧ୍ୟ ଆସି ବାହାଘରରେ ଯୋଗଦାନ କରିଛନ୍ତି ।

ଏକ ବିରାଟ ପଟୁଆରରେ ବରଯାତ୍ରୀ ବାଜା ଓ ଶଙ୍ଖ ବଜାଇ ନାଚି ନାଚି ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାହାଘରର ବିଦ୍ଧି । ପ୍ରଥମେ ବାଟବରଣ କରାଯିବା ପରେ ବେଦୀ ପୂଜା ହୋଇଥିଲା । ଏହାପରେ ସମୟ ନିର୍ଘଣ୍ଟ ଅନୁଯାୟୀ ହୋମ କରାଯାଇ ହସ୍ତଗଣ୍ଠି ପଡିଥିଲା । ବରଯାତ୍ରୀ ପହଞ୍ଚିବା ପରେ ଜଳଖିଆ ଖାଦ୍ୟର ଆୟୋଜନ କରାଯାଇଥିଲା ଓ ବାହାଘର ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏହି ବାହାଘରରେ ଅନେକ ଲୋକ ଯୋଗ ଦେଇଥିଲେ । ପରିବେଶକୁ ଭଲ ପାଇବା ଓ ଗଛକୁ ସୁରକ୍ଷା ଦେବା ନେଇ ଏହି ବରଗଛ ଓ ଓସ୍ତ ଗଛକୁ ବାହାଘର କରାଯାଇଛି । ଯାହା ସମାଜକୁ ଏକ ନୂଆ ବାର୍ତ୍ତା ପହଞ୍ଚାଇବ ।