ମଧ୍ୟ ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ । ବର ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର ।

203

କନକ ବ୍ୟୁରୋ: ମଧ୍ୟ ରାତିରେ ଦେବ ଦମ୍ପତିଙ୍କ ବିହାଘର । ବର ଦେଉଳରୁ କନିଆ ଘର ସବୁଠିଥିଲା ଉତ୍ସାହର ପରିବେଶ । ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର । ବଡସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବିମାନରେ ବାହାରିଥିଲେ କନିଆ ଘର । ବର ଯାତ୍ରୀଙ୍କୁ ନେଇ ବିରାଟ ପଟୁଆରର କେଦାରଗୌରୀ ମନ୍ଦିରରେ ପହଞ୍ଚିିଥିଲେ ପ୍ରଭୁ ଲିଙ୍ଗରାଜ । ସେଠାରେ ମହାଆଡମ୍ବରରେ ଦେବ ଦଂପତିଙ୍କ ବିବାହ ବିଧିମୁତାବକ ସଂପନ୍ନ ହୋଇଛି । ଘଣ୍ଟ ଘଣ୍ଟା , କାହାଳୀ, ତ୍ରିଶାଖା, ଛତା ସହ ପାରମ୍ପରିକ ବାଦ୍ୟରେ ବାହାରିଥିଲେ ବରଯାତ୍ରୀ ଦଳ । ବର ଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ଥଣ୍ଡା, ରସଗୋଲା, ବାଦାମ ସର୍ବତ, ଛେନା ବର୍ଫି, ଆମ୍ବ ରସ ଦେଇ ଆପାୟିତ କରାଯାଇଥିଲା । ଏହାପରେ ବିବାହ ମଣ୍ଡପରେ ଦେବଦଂପତିଙ୍କ ବିବାହ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି । ଆଜି ବିଧି ମୁତାବକ ସମସ୍ତ ନୀତିକାନିତ ପରେ ସନ୍ଧ୍ୟାରେ ଦିଅଁ ଶୋଭାଯାତ୍ରାରେ ରାଜ ଦେଉଳରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁରରେ ଧୁମଧାମରେ ପାଳିତ ହେଉଛି ଶୀତଳଷଷ୍ଠୀ ଯାତ୍ରା । ମଧ୍ୟ ରାତ୍ରିରେ ବାହାରିଲା ଦେବ ଦେବ ମହାଦେବଙ୍କ ବରଯାତ୍ରା । କନ୍ୟାପିତା ଭବନରେ ରୀତିନୀତିରେ ବାହାବେଦୀକୁ ଭଗବାନ ଶିବଙ୍କୁ ପାଛୋଟି ନେଇଛନ୍ତି । ଏହାପୂର୍ବରୁ ମାତା ପାର୍ବତୀଙ୍କୁ ମନ୍ଦିରରୁ ବିବାହ ପାଇଁ ଆଣିଛନ୍ତି କନ୍ୟାପକ୍ଷ । ମାତା ପାର୍ବତୀ ଘରକୁ ପହଞ୍ଚିିଲା ପରେ ଉତ୍ସବ ମୁଖର ହୋଇଥିଲା କନ୍ୟା ଘର । କଳସ ପୂଜା, ମାତୃପୂଜା, ପିତୃପୂଜନ ପ୍ରମୁଖ ପୂଜା ପରେ ମାଆଙ୍କର ସ୍ୱତନ୍ତ୍ର ଭାବେ ଗାନ୍ଧାଧିବାସ, ମହାଭିଷେକ ସ୍ନାନ, ବସ୍ତ୍ର ଅଳଙ୍କାର ଦେଇ ସୁସଜ୍ଜିତ କରାଯାଇଥିଲା । ସେପଟେ ଶିବାଳୟରେ ହଳଦୀ ଖେଳ କରାଯାଇଛି ।

ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଚଳଚଞ୍ଚଳ ହୋଇଛି ଭଦ୍ରକର ଆରଡିପୀଠ । ବୈଦିକ ରୀତିନୀତି ଅନୁସାରେ ବରପିତା ଓ କନ୍ୟା ପିତାଙ୍କ ପକ୍ଷରୁ ଦେବ ଦମ୍ପତ୍ତି ମଙ୍ଗଳପାଗ ନୀତି ସଂପନ୍ନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚଛି । ଆଜି ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ଏଥିପାଇଁ ଭୋର ୪ଟାରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସଂପନ୍ନ ହେବ । ସକାଳ ୧୦ଟାରେ ବରଧରା ଗମନ ଓ ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଠିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।