ଟ୍ରେନ ଗେଟ ପାଖରେ ଛିଡ଼ା ହେବା ମହଙ୍ଗା ପଡ଼ିଲା ! ବାହାଘର ପୂର୍ବରୁ ଯୁବତୀଙ୍କୁ ଲୁଟିଲେ ଦୁର୍ବୃତ

35

କନକ ବ୍ୟୁରୋ : ଟ୍ରେନରେ ଯାତ୍ରା କରିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହେଉଛନ୍ତି କି? ସାବଧାନ! କୌଣସି ମୁହୂର୍ତରେ ବି ଆପଣଙ୍କ ଠାରୁ ହୋଇପାରେ ଲୁଟ୍ । ଆଜି ଭୁବନେଶ୍ୱର ରେଳଷ୍ଟେସନ୍ ନିକଟରେ ଚଳନ୍ତା ଟ୍ରେନରୁ ଜଣେ ଯୁବତୀଙ୍କ ଠାରୁ ଏଭଳି ଲୁଟ୍ ହୋଇଛି । ତେବେ ପରେ ଷ୍ଟେସନ ନିକଟ ବସ୍ତି ଅଂଚଳରେ ରେଡ୍ କରି ଆରପିଏଫ୍ ଓ ଜିଆରପି, ଯୁବତୀଙ୍କ ଚୋରି ହୋଇଥିବା ସମସ୍ତ ସୁନା ଓ ଟଙ୍କା ଉଦ୍ଧାର କରିଛି । ଅଭିଯୁକ୍ତକୁ ବି ଗିରଫ କରାଯାଇଛି । ବଡ କଥା ହେଲା ଆଉ ଦିନକ ପରେ ସଂପୃକ୍ତ ଯୁବତୀଙ୍କ ବାହାଘର । ଏଭଳି ସ୍ଥିତିରେ ତାଙ୍କ ଠାରୁ ସମସ୍ତ ସୁନାଗହଣା ଲୁଟ୍ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ତାଙ୍କଠାରୁ ଲୁଟ୍ ହୋଇଥିବା ସୁନା ଗହଣା ଉଦ୍ଧାର କରିଛି ପୋଲିସ ।

ଶନିବାର, ଭୋର୍ ପ୍ରାୟ ସାଢେ ୪ଟା ।କୋଣାର୍କ ଏକ୍ସପ୍ରେସର ଗେଟ୍ ମୁହଁରେ ଠିଆ ହୋଇଥିଲେ ଜଣେ ଯୁବତୀ । ହାତରେ ଥିଲା କଳା ରଙ୍ଗର ବ୍ୟାଗ୍ । ଭୁବନେଶ୍ୱର ରେଳ ଷ୍ଟେସନକୁ ଆଉ ମାତ୍ର ଶହେ ମିଟର । କେଉଁ ପ୍ଲାଟଫର୍ମରେ ଟ୍ରେନ୍ ଲାଗିବ ତାହା ଜାଣିବାକୁ ଗେଟ୍ ବାହାରକୁ ଦେଖିବା ବେଳେ ଯୁବତୀଙ୍କ ହାତରୁ ବ୍ୟାଗ୍ ଛଡାଇନେଇଥିଲା ଜଣେ ଯୁବକ । ଆଖି ପିଛୁଳାକେ ଫାଳିକିଆ ବସ୍ତି ଭିତରକୁ ଚମ୍ପଟ ମାରିଥିଲା । ଯୁବତୀ ବି ଟ୍ରେନରୁ ଡେଇଁପଡି ତାର ପିଛା କରିଥିଲେ । ହେଲେ ଅନ୍ଧାର ଭିତରେ ବସ୍ତି ଭିତରେ ଲୁଚିଯାଇଥିଲା ଲୁଟେରା ।

ଆଉ ଦିନକ ଥିଲା ଯୁବତୀଙ୍କ ବାହାଘର । ସେଥିପାଇଁ ସେ ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିଲେ । ହାତରେ ଥିବା ବ୍ୟାଗରେ ଥିଲା ବିବାହ ପାଇଁ ୧୫ଭରି ସୁନା ଗହଣା ଓ ୧୦ ହଜାର ଟଙ୍କା । ହେଲେ ଘରେ ପହଁଚିବା ପୂର୍ବରୁ ଲୁଟ୍ ହୋଇଯାଇଥିଲା ସବୁକିଛି । ସମୟ ପ୍ରାୟ ସାଢେ ୫ ଟା । ପ୍ଲାଟଫର୍ମରେ ଟ୍ରେନ୍ ଲାଗିବା ପରେ ଜିଆରପିରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ ଯୁବତୀ । ସଙ୍ଗେ ସଙ୍ଗେ ଆରପିଏଫ୍ ଓ ଜିଆରପି ଟିମ୍ ମିଳିତ ଭାବେ ବସ୍ତିରେ ଚଢଉ କରିଥିଲେ । ଘରକୁ ଘର ପଶି ଅଭିଯୁକ୍ତକୁ ଖୋଜିଥିଲା ପୋଲିସ । ଶେଷରେ ବସ୍ତି ଭିତରୁ ଧରାପଡିଥିଲା ଅଭିଯୁକ୍ତ ରବି ହରିଚନ୍ଦନ । ଆଉ ତାଠାରୁ ମିଳିଥିଲା ଲୁଟ୍ ହୋଇଥିବା ସମସ୍ତ ସୁନା ଅଳଙ୍କାର, ଟଙ୍କା ଓ ଏଟିଏମ୍ କାର୍ଡ ।

ଆଉ ଦିନକ ପରେ ଦିବ୍ୟାଙ୍କ ବାହାଘର । ଏହାପୂର୍ବରୁ ଏଭଳି ଲୁଟ୍ ନିଦ ହଜାଇଦେଇଛି ଦିବ୍ୟାଙ୍କର । ତେବେ ସୌଭାଗ୍ୟବସତଃ ଲୁଟ୍ ହୋଇଥିବା ସୁନା ଗହଣା ଜବତ କରିଛି ପୋଲିସ । ତେବେ ଚଳନ୍ତା ଟ୍ରେନରେ ଗେଟ୍ ନିକଟରେ ଠିଆହେବା କେତେ ସାଂଘାତିକ ହୋଇପାରେ, ତାହା ଏହି ଘଟଣା ବୟାନ କରୁଛି ।