କନକ ବ୍ୟୁରୋ: ‘ମୁଁ ଆଉ ବଞ୍ଚିବିନି । ମୋ ପାଖରେ ଆଉ ସମୟ ନାହିଁ । ହେଲେ ଯିବା ଆଗରୁ ମୋର ଗୋଟିଏ ଇଚ୍ଛା । ମୋ ଝିଅର ବାହାଘର ଦେଖିବି । ତାକୁ ହାତକୁ ଦି ହାତ କରିଦେଲେ ମୁଁ ଶାନ୍ତିରେ ମରିବି । ବାସ୍ ଏତିକି ଇଚ୍ଛା’

Advertisment

ମହିଳାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଆଇସିୟୁ ଭିତରେ ହିଁ ବାହାଘର ହେଲା । ଏପରି ଘଟଣା ଫିଲ୍ମି ଭଳି ଲାଗୁଥିଲେ ବି ସତ, ଯାହା ବିହାର ଗୟାର ଏକ ହସ୍ପିଟାଲରେ ଘଟିଛି ।

ଅଣଚାଶ ପବନ ବହୁଥିଲା, କଥା କହିବାକୁ ଜୁ ପାଉନଥିଲା । ଆଖିରେ ଆଖିଏ ଲୁହ । ଥର ଥର ପାଟିରେ ପାଖରେ ଥିବା ସମ୍ପର୍କୀୟଙ୍କୁ ନିଜ ମନର ଇଚ୍ଛା କହିଲେ । ଶରୀରର ଅସହ୍ୟ ଯନ୍ତ୍ରଣା ଆଉ ମନରେ ଅମାପ ଦୁଃଖ । ଝିଅଟାକୁ ବାହା ନଦେବା ପୂର୍ବରୁ ଯମ ଡାକିନେଉଛି । ଆଉ ବଞ୍ଚିବାର ଆଶା ନାହିଁ ଜାଣିବା ପରେ ପାଖ ଲୋକଙ୍କୁ ଖନି ବାଜିଯାଉଥିବା ପାଟିରେ ମନ କଥା କହିଥିଲେ ହସ୍ପିଟାଲ ବେଡରେ ପଡିଥିବା ଏହି ମହିଳା । ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ସେହି ଆଇସିୟୁ ଭିତରେ ହିଁ ଝିଅର ବାହାଘର କରାଇଥିଲେ ମେଡିକାଲ କର୍ତ୍ତୃପକ୍ଷ ଓ ସମ୍ପର୍କୀୟ ।

ସୂଚନା ମୁତାବକ, ହସ୍ପିଟାଲ ଆଇସିୟୁରେ ମୃତ୍ୟୁ ଦ୍ୱାରଦେଶରେ ଥିବା ଏହି ମହିଳା ଜଣକ ହେଉଛନ୍ତି ପୁନମ କୁମାରୀ ବର୍ମା । ଯିଏ ମଗଧ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଏଏନଏଏମ୍ ଭାବେ କାର୍ଯ୍ୟ କରୁଥିଲେ । ହେଲେ କରୋନା ଠାରୁ ତାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା । ଏହା ସହ ତାଙ୍କ ହୃଦଘାତ ମଧ୍ୟ ହେଲା । ଦୀର୍ଘ ଦୀନରୁ ଅସୁସ୍ଥ ଥିବା ପୁନମଙ୍କୁ କିଛି ଦିନ ପୂର୍ବରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଗୋଟିଏ ବୋଲି ଝିଅକୁ ଏକୁଟିଆ ଛାଡିଯିବାର ଦୁଃଖ ତାଙ୍କ ଶରୀର ଦୁଃଖରୁ ବି ବଳିପଡୁଥିଲା । ଝିଅ ବାହାଘର ଦେଖିଲେ ସେ ଶାନ୍ତିରେ ଆରପାରିକୁ ଯାଇପାରିବେ ବୋଲି ନିଜ ବନ୍ଧୁବାନ୍ଧବ ଓ ମେଡିକାଲ କର୍ମଚାରୀଙ୍କୁ କହିଥିଲେ ।

ଝିଅ ଚାନ୍ଦନୀ କୁମାରୀଙ୍କ ନିର୍ବନ୍ଧ ଡିସେମ୍ବର ୨୬ ତାରିଖରେ ଇଞ୍ଜିନିୟର ସୁମିତ ଗୌରବ ନାମକ ଯୁବକଙ୍କ ସହ ହେବାକୁ ଥିଲା । ହେଲେ ମା’ଙ୍କ ଇଚ୍ଛା ପୂରଣ କରିବାକୁ ନିର୍ବନ୍ଧ ପୂର୍ବରୁ ହିଁ ଝିଅର ବାହାଘର କରାଇବାକୁ ବାଧ୍ୟହେଲେ ସମ୍ପର୍କୀୟ । ମନର କୋହକୁ ଚାପିରଖି ଆଇସିୟୁ ଭିତରେ ମା’ ଆଗରେ ହିଁ ଝିଅ ଚାନ୍ଦନୀର ବାହାଘର କରାହେଲା । ଝିଅ ଜ୍ୱାଇଁ ବରଣ ମାଳା ପିନ୍ଧାଇବା ଠାରୁ ଆରମ୍ଭ କରି ମନ୍ତ୍ରପାଠ, ସାତ ଫେରି ସବୁକିଛି ଆଇସିୟୁ ଭିତରେ ହିଁ ସମ୍ପନ୍ନ ହେଲା । ଏଇତକ ଦେଖିବାକୁ ଯେମିତି ଅଟକିଥିଲା ମା’ର ପ୍ରାଣ । ଝିଅ ଚାନ୍ଦନୀର ବାହାଘର ସରିବାର ୨ ଘଣ୍ଟା ପରେ ହିଁ ଚାଲିଗଲା ମା’ ପୁନମଙ୍କ ଜୀବନ ।
ସମସ୍ତଙ୍କ ଭିତରେ ଜମାଟ ହୋଇ ରହିଥିବା ସବୁତକ ଲୁହ ଯେପରି ବନ୍ଧବାଡ ଡେଇଁ ଝରିପଡିଥିଲା । ବାଧ୍ୟବାଧ୍ୟକତାର ହସ ଆଉ ଲୁହର ଏପରି ଲୁଚକାଳି ଖେଳ, ହସ୍ପିଟାଲ ଭିତରେ ବାହାଘର ଏପରି ସିନ୍ ଆପଣ ଫିଲ୍ମରେ ଦେଖିଥିବାବେଳେ ଏଠି କିନ୍ତୁ ସତକୁ ସତ ଘଟିଥିଲା । ଏହାର ଫଟୋ ଆଉ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପ୍ରତିଟି ସମ୍ବେଦନଶୀଳ ମନକୁ ଭିଜାଇ ଦେଉଥିବାବେଳେ ଜଣେ ମା’ର ନିଃସର୍ତ୍ତ ଭଲପାଇବାକୁ ପୁଣିଥରେ ପ୍ରମାଣ କରିଛି ।