ଚୌଦ୍ୱାର ସର୍କଲ ଜେଲ୍‌ରେ ନିଆରା ବାହାଘର : କୋଳରେ ଛୁଆ ଧରି ବାହା ହେଲା ମାଆ : ସାତ ଜନମର ଜୀବନସାଥୀ ହେଲେ ରାକେଶ-ମଞ୍ଜୁ

229

କନକ ବ୍ୟୁରୋ : ଚୌଦ୍ବାର ସର୍କଲ ଜେଲ୍‌ରେ ଜଣେ ଅଭିଯୁକ୍ତ କଏଦୀଙ୍କ ନିଆରା ଢଙ୍ଗରେ ବାହାଘର ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ବିବାହ ପରେ କନ୍ୟା ଶାଶୂ ଘରକୁ ଫେରିଥିବାବେଳେ ବର ଜେଲରେ ରହିଛି । ବିବାହ ସମୟରେ ୩ ମାସର ଶିଶୁ ପୁତ୍ର ଉପସ୍ଥିତ ରହିବା ସହିତ ଭୋଜିଭାତ, କେକ୍ କାଟି ଧୂମଧାମରେ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏଥିରେ ଉଭୟ ପକ୍ଷର ପରିବାର, ଜେଲର ବରିଷ୍ଠ ଅଧିକାରୀ ଓ ସ୍ବେ‌ଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହଥିଲେ ।

ସୂଚନା ଅନୁଯାୟୀ, ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଂଚାୟତର ଔରଙ୍ଗାବାଦ ଗ୍ରାମର ୨୪ ବର୍ଷୀୟ ଯୁବକ ସେହି ଗ୍ରାମର ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଗର୍ଭବତୀ କରିଥିଲେ । କିନ୍ତୁ ପରେ ଯୁବକ ଜଣକ ଯୁବତୀଙ୍କୁ ବାହା ହେବାକୁ ମନା କରିବା ପରେ ଗତ ସେପ୍ଟେମ୍ବର ୮ ତାରିଖରେ ଏ ସମ୍ପର୍କରେ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରାଯାଇଥିଲା । ପୁଲିସ୍‌ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ୍ କରି ଚୌଦ୍ବାର ଜେଲ ହାଜତକୁ ପଠାଇ ଦେଇଥିଲା । କିନ୍ତୁ ଯୁବତୀ ଜଣକ ଏହି ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ମାମଲା ସ୍ପେଶାଲ ପୋକ୍‌ସୋ କୋର୍ଟରେ ବିଚାର ଚାଲିଥିଲା । କୋର୍ଟରେ ଅଭିଯୁକ୍ତ ଯୁବକ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବା ଓ ୩ ମାସର ଶିଶୁକୁ ଆ‌ପଣେଇବା ପାଇଁ ରାଜି ହେବାପରେ ଅଦାଲତ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ଜେଲରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଉଭୟ ପରିବାରର ସମ୍ମତିରେ ଆଜି ଜେଲ ପରିସରରେ ନିଆରା ଢଙ୍ଗରେ ବିବାହ ସହିତ କେକ୍ କଟା ଯାଇଥିଲା । ଏହି ବିବାହ ସମ୍ପନ୍ନ କରିବାକୁ ଜେଲ୍‌ ପକ୍ଷରୁ ନୋଡ଼ାଲ ଏନଜିଓ ଉଦ୍ଧାର ଫାଉଣ୍ଡେସନକୁ ଦାୟିତ୍ବ ଦିଆଯାଇଥିଲା । ଅତ୍ୟନ୍ତ ମନେରାମ ପରିବେଶ ଭିତରେ ବାହାଘର ହେବା ସହ ଭୋଜିର ଆୟୋଜନ କରାଯାଇଥିଲା । ଉଦ୍ଧାର ଫାଉଣ୍ଡେସନର ପ୍ରାୟ ୧୦ଜଣ ସଦସ୍ୟ, ପୁଅ ଓ ଝିଅଙ୍କ ପକ୍ଷରୁ ୨୦ଜଣ ସଦସ୍ୟ ଏହି ବାହାଘରରେ ସାମିଲ ହୋଇଥିଲେ ।