ପଞ୍ଚାୟତ ନିର୍ବାଚନ ପାଇଁ ବାହାଘର । ବୋହୂ ବେଶରେ ବେଦୀରେ ବସିଲେ ପ୍ରାର୍ଥୀ

429

କନକ ବ୍ୟୁରୋ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଏକ ବାହାଘର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଆଇତିପୁର ପଞ୍ଚାୟତରେ କୋର୍ଟ ମ୍ୟାରେଜ ସାର୍ଟିଫିକେଟ ଦେଇ ପ୍ରଭାତୀ ସାହୁ ନାମାଙ୍କନ ଭରିଥିଲେ କିନ୍ତୁ ପ୍ରଚାର ପାଇଁ ଯିବେ ବୋଲି ଏବେ ବୈଦିକ ରୀତିନୀତିରେ ବାହା ହୋଇଛନ୍ତି । ସେପଟେ ଜ୍ୟୋତିଷଙ୍କ ପରାମର୍ଶରେ ଝାରସୁଗୁଡାରେ ବାପ-ପୁଅ ସରପଞ୍ଚ ପ୍ରାର୍ଥୀ ଭାବେ ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ ।

ଏହି କଥା ଶୁଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । ଏମିତି ଏକ ବାହାଘର ହୋଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ବୋହୂ ବେଶରେ ବେଦୀରେ ବସିଛନ୍ତି ଆଇତିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରଭାତୀ ସାହୁ । ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣଶରଣପୁର ଗାଁର ପ୍ରଭାତୀ, ପୂର୍ବରୁ ଆଇତିପୁର ପଞ୍ଚାୟତର ପ୍ରଶାନ୍ତ ପଲେଇଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । କୋର୍ଟ ମ୍ୟାରେଜ ସାର୍ଟିଫିକେଟ ଦେଇ ପ୍ରଭାତୀ ସାହୁ ନାମାଙ୍କନ ଭରିଲେ, କିନ୍ତୁ ପ୍ରଚାର ପାଇଁ ଯିବେ ବୋଲି ବୈଦିକ ରୀତିନୀତିରେ ବାହା ହୋଇଛନ୍ତି । ତେବେ ଅସଲ କଥା ହେଲା, ପ୍ରଶାନ୍ତ ନିଜେ ସରପଞ୍ଚ ପ୍ରାର୍ଥୀ ହେବାକୁ ଚାହୁଁଥିଲେ, କିନ୍ତୁ ପଞ୍ଚାୟତଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ସେ, ପତ୍ନୀ ପ୍ରଭାତୀଙ୍କୁ ପ୍ରାର୍ଥୀ କରିଛନ୍ତି ।

ଅନ୍ୟପଟେ ଝାରୁସୁଗୁଡାର ପିପିଲିମାଲ ପଞ୍ଚାୟତରେ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜନ୍ମେଞ୍ଜୟ କିଷାନ ଓ ତାଙ୍କ ପୁଅ ଘନଶ୍ୟାମ କିଷାନ । ଜ୍ୟୋତିଷଶାସ୍ତ୍ର ଉପରେ ବିଶ୍ୱାସ ରଖି ଜ୍ୟୋତିଷଙ୍କ କଥା ଶୁଣିଲା ପରେ ଉଭୟ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ଜନ୍ମେଞ୍ଜୟ କିଷାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କିନ୍ତୁ ପୁଅର ବିଜୟ ସମ୍ଭାବନା ଅଧିକ ଥିବା ଜ୍ୟୋତିଷ କହିବା ପରେ ଘନଶ୍ୟାମ କିଷାନ ପ୍ରାର୍ଥୀ ହୋଇଛନ୍ତି । ପିପିଲିମାଲ ପଞ୍ଚାୟତରେ ସରପଞ୍ଚ ପାଇଁ ୧୩ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ବାପ-ପୁଅଙ୍କ ଲଢେଇ ଉପରେ ସମସ୍ତଙ୍କ ନଜର ରହିଛି ।