ଦମ୍ପତି ବାଂଟିଲେ ଗଛ ଚାରା । ବିବାହ ରିସେପସନ୍ ପାର୍ଟିରେ ଅତିଥିଙ୍କୁ ରିଟର୍ଣ୍ଣ ଗିଫ୍ଟରେ ଗଛ ବାଂଟିଲେ ନବଦମ୍ପତି, ବୃକ୍ଷରୋପଣର ଦେଲେ ବଡ ବାର୍ତ୍ତା ।

258

କନକ ବ୍ୟୁରୋ : ପରିବେଶ ସୁରକ୍ଷା ଜୀବନ ରକ୍ଷା, ଗଛ ଲଗାନ୍ତୁ ସୁସ୍ଥ ରୁହନ୍ତୁ । ଏଭଳି ସ୍ଲୋଗାନ ଅନେକ କୁହନ୍ତି, ହେଲେ ଏହାକୁ କାମରେ କରି ଦେଖାନ୍ତି ଖୁବ୍ କମ୍ ଲୋକ । ସମାଜର ମଙ୍ଗଳ ତ ସମସ୍ତେ ଚିନ୍ତା କରନ୍ତି, ହେଲେ ସମାଜରେ ଗଛର ଭୂମିକା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିଜ ବିବାହ ଉତ୍ସବରେ ଅତିଥିଙ୍କୁ ଚାରା ବାଂଟିଛନ୍ତି କେନ୍ଦ୍ରାପଡାର ନବ ଦମ୍ପତି ।

ବିବାହ ଭୋଜିରେ ବୃକ୍ଷରୋପଣ ବାର୍ତ୍ତା । ଅତିଥିଙ୍କୁ ଗଛ ବାଂଟିଲେ ନବଦମ୍ପତି । ସବୁ ବାହାଘର ଭଳି ଏଠି ବି ବାହାଘର ପରେ ପ୍ରୀତିଭୋଜନର ଆୟୋଜନ ହୋଇଥିଲା । ଭୋଜି ଖାଇବାକୁ ଆସିଥିବା ଅତିଥି ନବଦମ୍ପତିଙ୍କୁ ଉପହାର ଦେବା ସହ ଆଶୀର୍ବାଦ କରୁଥିଲେ । ଆଉ ସେମାନଙ୍କୁ ମଧ୍ୟ ରିଟର୍ଣ୍ଣ ଗିଫ୍ଟ ଦେଉଥିଲେ ଦମ୍ପତି । ଆଉ ରିଟର୍ଣ୍ଣ ଗିଫ୍ଟରେ କେନ୍ଦ୍ରାପଡା ଜିଲ୍ଲା ରାଇପୁର୍ ଗାଁର ନବ ଦମ୍ପତି ଅକ୍ଷୟ ଓ ପ୍ରିୟଙ୍କା ଅତିଥିଙ୍କୁ କିଛି ନିଆରା ଉପହାର ଦେଇଥିଲେ । ସମାଜର ମଙ୍ଗଳ ପାଇଁ କିଛି କରିବା ଉଦ୍ଦେଶ୍ୟରେ ଅତିଥିଙ୍କୁ ଚାରା ଉପହାର ଦେଉଥିଲେ ଦମ୍ପତି । ଆମ୍ବ, ପଣସ ପରି ଫଳନ୍ତି ଗଛ ସହ ଆକାଶି, ଶାଳ ପରି ଭଳି କି ଭଳି ୫ଶହ ଗଛ ବାଂଟିଛନ୍ତି ଅକ୍ଷୟ ଓ ପ୍ରିୟଙ୍କା ।

ବିବାହର ପ୍ରଥମ ଦିନରେ ସମାଜ ପାଇଁ କିଛି ଭଲ କାମ କରିବାର ବାର୍ତ୍ତା ଦେଇଛନ୍ତି ଅକ୍ଷୟ । ଆଉ ସ୍ୱାମୀଙ୍କ ଏହି ମହତ କାର୍ଯ୍ୟରେ ସାମିଲ ହୋଇଛନ୍ତି ସ୍ତ୍ରୀ । ଯେତେବେଳେ ଜଳବାୟୁ ପରିବର୍ତନକୁ ନେଇ ଚାରିଆଡେ ବିତର୍କ ହେଉଛି, ଠିକ୍ ସେତିକି ବେଳେ ବୃକ୍ଷ ରୋପଣର ଏହି ବାର୍ତ୍ତା ରାମାୟଣର ରାମସେତୁ ନିର୍ମାଣ ବେଳର ଗୁଣ୍ଡୁଚି ମୂଷା କଥାକୁ ମନେ ପକାଇ ଦେଉଛି । ନବଦମ୍ପତିଙ୍କ ଏହି ଭଲ କାମ ପାଇଁ ବିବାହ ଭୋଜିକୁ ଆସିଥିବା ଅତିଥି ଭୂୟସି ପ୍ରଶଂସା କରିଛନ୍ତି ।