କେଉଁ ବୟସରେ ବିବାହ କରିବେ ମହିଳା ? ସର୍ବନିମ୍ନ ବୟସ ସ୍ଥିର କରିବ ଟାସ୍କଫୋର୍ସ, ମାତୃ ମୃତ୍ୟୁ ହାର ରୋକିବାକୁ ନିର୍ମଳା ସୀତାରମଣଙ୍କ ଘୋଷଣା ।

2,969

କନକ ବ୍ୟୁରୋ : ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି, ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ସ୍ଥିର କରିବାକୁ କେନ୍ଦ୍ର ସରକାର ଟାସ୍କଫୋର୍ସ ଗଠନ କରିବେ । ଦେଶରେ ମାତୃ ମୃତ୍ୟୁହାର କମାଇବାକୁ ମହିଳାଙ୍କ ନୂଆ ବିବାହ ବୟସ ସ୍ଥିର ହେବ । ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି ।

କେଉଁ ବୟସରେ ବିବାହ କରିବେ ମହିଳା ? ସର୍ବନିମ୍ନ ବୟସ ସ୍ଥିର କରିବ ଟାସ୍କଫୋର୍ସ । ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ସ୍ଥିର କରିବାକୁ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର । ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ମାତୃ ମୃତ୍ୟୁହାର କମାଇବାକୁ ମହିଳାଙ୍କ ନୂଆ ବିବାହ ବୟସ ସ୍ଥିର ହେବ ।

ଦେଶରେ ବର୍ତ୍ତମାନ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଥିବାବେଳେ ମହିଳାଙ୍କ ପାଇଁ ଏହି ବୟସ ୧୮ ବର୍ଷ ରହିଛି । ନିର୍ଦ୍ଧାରିତ ସୀମାରୁ କମ୍ ବୟସରେ ବିବାହ କଲେ ଏହା ବାଲ୍ୟ ବିବାହ ନିରୋଧୀ ଆଇନ ୨୦୦୬ରେ ଦଣ୍ଡନୀୟ ଅପରାଧ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଥିବା ଭାରତରେ ମହିଳାଙ୍କ ପାଇଁ ଉଚ୍ଚଶିକ୍ଷା ଓ କର୍ମ ସଂସ୍ଥାନର ସୁଯୋଗ ସୃଷ୍ଟି ହୋଇଛି । ତେଣୁ ମାତୃ ମୃତ୍ୟୁ ହାରକୁ ରୋକିବା ଜରୁରୀ ହୋଇପଡିଛି । ଅର୍ଥାତ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ବୃଦ୍ଧି କରିବା ନେଇ ଇସାରା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଟାସ୍କଫୋର୍ସର ପ୍ରସ୍ତାବ ଆଧାରରେ ଏଦିଗରେ ପଦକ୍ଷେପ ନେବେ ମୋଦି ସରକାର ।

ବାଲ୍ୟ ବିବାହକୁ ରୋକିବା ପାଇଁ ସ୍ୱାଧୀନତା ପୂର୍ବରୁ ଭାରତରେ ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ୧୪ ବର୍ଷ ଓ ପୁରୁଷଙ୍କ ପାଇଁ ୧୮ ବର୍ଷ ସ୍ଥିର କରିଥିଲେ ତତକାଳୀନ ବ୍ରିଟିସ ସରକାର । ଏହାର ପୃଷ୍ଠପୋଷକ ହରବିଶାଲ ସାରଦାଙ୍କ ନାଁରେ ଏହି ଆଇନକୁ ସାରଦା ଆକ୍ଟ ବୋଲି ମଧ୍ୟ କୁହାଯାଏ । ହେଲେ ୧୯୭୮ରେ ଏହି ଆଇନରେ ପରିବର୍ତ୍ତନ କରି ମହିଳାଙ୍କ ବିବାହ ବୟସ ୧୮ ଓ ପୁରୁଷଙ୍କ ପାଇଁ ୨୧ ବର୍ଷ ସ୍ଥିର କରାଯାଇଛି । ସେହିପରି ୨୦୦୬ରେ ସାରଦା ଆଇନକୁ ଉଚ୍ଛେଦ କରି ଦେଶରେ ବାଲ୍ୟ ବିବାହ ନିରୋଧୀ ଆଇନ ମଧ୍ୟ ଲାଗୁ ହୋଇଛି ।

ଏକ ଆକଳନ ଅନୁସାରେ ଦେଶରେ ପ୍ରତି ୧୦୦୦ ଜଣରେ ୪ଜଣରୁ ଅଧିକ ମହିଳାଙ୍କ ପ୍ରସବ ସମୟରେ ମୃତ୍ୟୁ ହେଉଛି । ତେଣୁ ଏହାକୁ ରୋକିବା ପାଇଁ ମହିଳାଙ୍କ ମାତୃତ୍ୱ ବୟସ ନିର୍ଦ୍ଧାରଣ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ମହିଳାଙ୍କ ସର୍ବନିମ୍ନ ବିବାହ ବୟସରେ ପରିବର୍ତନ କରିବାକୁ ଚାହୁଁଛନ୍ତି ।