ଚତୁର୍ଥୀ ହୋମ ନିଆଁ ଲିଭିନି, ମଥାରୁ ଲିଭିଗଲା ସିନ୍ଦୁର । କେନ୍ଦ୍ରାପଡ଼ା ଦୁର୍ଗାଦେବୀପଡ଼ା ଗାଁରେ ବିବାହର ୫ଦିନ ପରେ ବରର ମୃତ୍ୟୁ

2,178

କନକ ବ୍ୟୁରୋ: ଚତୁର୍ଥୀ ହୋମ ନିଆଁ ଲିଭିନି, ହେଲେ ମଥାରୁ ଲିଭିଗଲା ସିନ୍ଦୁର । ସଂସାର ଗଢିବା ଆଗରୁ ଜୁଇରେ ଜଳିଲା ସିନ୍ଦୁର । ଆରପାରିକୁ ଚାଲିଗଲେ ବର । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପ୍ରଧାନପଡ଼ା ପଂଚାୟତର ଦୁର୍ଗାଦେବୀପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୁଚନା ଅନୁସାରେ ଦୁର୍ଗଦେବୀପଡ଼ା ଗାଁର ସଂଜୟ କୁମାର ନାୟକ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କ ବାହାଘର ରାଜକନିକା ବ୍ଲକର ଓଳାଭାର ପଂଚାୟତର ଏକ ଗାଁରେ ସ୍ତିର କରାଯାଇଥିଲା ।

ବାହାଘର ପାଇଁ ସେ ଗତ ୧ ତାରିଖ ଦିନ ଗାଁକୁ ଫେରିଥିଲେ । ଗତ ୯ତାରିଖ ଦିନ ବାହାଘର ହୋଇଥିଲା । ଦୀପୁ ବେଙ୍ଗାଲୁରୁ ଫେରିବା ପରେ ତାଙ୍କର କୋଭିଡ଼ ପରୀକ୍ଷା କରାଇଥିଲେ । ରିପୋର୍ଟ ନେଗେଟିଭ ଆସିଥିଲା । ଘରେ ପହଂଚିବାର କିଛି ଦିନ ପରେ ତାଙ୍କ ଦେହ ଖରାପ ହୋଇଥିଲା । ଥଣ୍ଡା ଜ୍ୱର ଲାଗି ରହିବା ସହ କାଶ ମଧ୍ୟ ହେଉଥିଲା । ବାହାଘର ପାରମ୍ପାରିକ ରିତିନୀତି ଅନୁସାରେ କରାଯାଇଥିଲା । ଔଷଧ ଖାଇବା ପରେ ମଧ୍ୟ କାଶ, ଜ୍ୱର କମିନଥିଲା । ୧୨ତାରିଖରେ ଚତୁର୍ଥି ଥିବା ବେଳେ ଅସୁସ୍ଥ ସତ୍ୱେ ମଧ୍ୟ ଚତୁର୍ଥି ପିଣ୍ଡ ପଡ଼ିବା ସହ ହୋମ ମଧ୍ୟ ହୋଇଥିଲା ।

ଚତୁର୍ଥିବାସୀ ସଂଜୟଙ୍କ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ଯାଜପୁର ମେଡ଼ିକାଲକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଡ଼ାକ୍ତର ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେବା ପାଇଁ ଯୋଗାଯୋଗ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।