କନକ ବ୍ୟୁରୋ: ୩ଦିନ ପରେ ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ! ଉଠାଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।

Advertisment

ଜବରଦଖଲକାରୀଙ୍କ କବଳରେ ୟୁନିଟ ୨ ମାର୍କେଟ ବିଲ୍ଡିଂ । ଦୀର୍ଘଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହୋଇଆସିଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ । ଯେଉଁଥିପାଇଁ ବିଏମସିକୁ ସମ୍ପୂର୍ଣ୍ଣ ଦୋଷ ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କର୍ମକର୍ତ୍ତା । ସେମାନେ କହିଛନ୍ତି ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରେ ବସେଇ ବିଏମସି କର୍ତ୍ତୃପକ୍ଷ ମାଲେମାଲ ହେଉଛନ୍ତି । ତେବେ ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ବସିବା ଫଳରେ ସୌନ୍ଦର୍ଯ୍ୟ ହାନି ହେଉଥିବା ବେଳେ ଜନସାଧାରଣ ଜିନିଷ କିଣିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାରମ୍ବାର ଏହି ବିଷୟରେ ବିଏମସି ସହ ଆଲୋଚନା ହୋଇଥିଲେ ମଧ୍ୟ, ସମସ୍ୟାର ସମାଧାନ ହେଉନାହିଁ । ତେଣୁ ବିଏମସିକୁ ୩ଦିନର ସମୟ ଦେଇଛି ମାର୍କେଟ ଆସୋସେସନ । ଯଦି ୩ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲା ମାର୍କେଟ ବିଲ୍ଡିଂ  ବନ୍ଦ ରହିବା ସହ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ।  ଏଥିସହ ମେୟର ଓ କମିଶନରଙ୍କ ଘର ଆଗରେ ମାର୍କେଟ ଆସୋସେସନ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।