ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ମାମଲାରେ ୨ ଅଟକ । ପୋଲିସର ଛାନଭିନ ଜାରି, ଗତ ସନ୍ଧ୍ୟାରେ ୨୫ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ ଭାଙ୍ଗିଥିଲେ ୪୦ ରୁ ଅଧିକ ଦୋକାନ

154

କନକ ବ୍ୟୁରୋ : ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁବୃର୍ତଙ୍କ ଅତର୍କିତ ଆକ୍ରମଣ ମାମଲାରେ ଦୁଇ ଜଣଙ୍କୁ ଧରିଛି ପୋଲିସ୍ । ଏନେଇ ଡିସିପି ସୂଚନା ଦେଇଛନ୍ତି । ଏବଂ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଗତକାଲି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂ ବାହାରେ ଥିବା ଉଠା ଦୋକାନୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ଦୁବୃର୍ତ । କେହି କିଛି ବୁଝିବା ଆଗରୁ ହଠାତ ୨୫ରୁ୩୦ଜଣ ମୁଖାପିନ୍ଧା ଦୁବୃର୍ତ ମାର୍କଟ ବିଲ୍ଡିଂରେ ପହଂଚିଥିଲେ । ଗୋଟିଏ ମୁଣ୍ଡରୁ ଉଠାଦୋକାନୀଙ୍କ ଉପରେ ଆକ୍ରମଣ କରିଥିଲେ । ହାତରେ ମାରଣାସ୍ତ୍ର ଧରିଥିବା ଏହି ଦୁବୃର୍ତମାନେ ଛୋଟ ଛୋଟ ଦୋକାନ ଗୁଡିକୁ ଭାଙ୍ଗି ଦେଇଥିଲେ ।

କିଛି ସମୟ ମଧ୍ୟରେ ଦୋକାନ ଭାଙ୍ଗି ଗୁଣ୍ଡ କରିବା ସହିତ ଦୋକାନୀଙ୍କ ଉପରେ କରିଥିଲେ ଜୋରଦାର ଆକ୍ରମଣ । ଘଟଣାସ୍ଥଳରେ ଡିପିସିଙ୍କ ନେତୃତ୍ୱରେ ଏକ ପୁଲିସ୍ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହି ଘଟଣାରେ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପୁଲିସ୍ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜଣେ ଘଂଟା ଦୋକାନୀଙ୍କ ସହିତ କିଛି ଲୋକଙ୍କର ପାଟିତୁଣ୍ଡ ହୋଇଥିଲା । ତେବେ ସେହିଦିନ ଆପୋଷ ବୁଝାମଣା ପରେ ବିବାଦର ସମାଧାନ ହୋଇଯାଇଥିଲା । କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ହଠାତ କିଛି ଦୁବୃର୍ତ ଏହି ଆକ୍ରମଣ କରିଥିଲେ ।