ସାବଧାନ ମାଛ ମାଫିଆ ! ମଝି ସମୁଦ୍ରରେ ପଇଁତରା ମାରୁଛି ମେରାଇନ୍ ପୁଲିସ ।

184

କନକ ବ୍ୟୁରୋ : ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ନଭେମ୍ବର ୧ରୁ ଆରମ୍ଭ ହୋଇଛି । ବର୍ଷତମାମ କଟକଣା ଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ କୂଳଠାରୁ ୨୦ କିମି ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ ରୋକ ଲାଗିଛି । ଏହା ସତ୍ୱେ କେତେକ ମାଛ ମାଫିଆ କଟକଣା ନମାନି ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଛନ୍ତି । ପୂର୍ବରୁ ବନବିଭାଗ ନିଷିଦ୍ଧାଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏବେ ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ଏହି ପାଟ୍ରୋଲିଂରେ ସାମିଲ ହୋଇଛି । ବନବିଭାଗ ଓ ପୁଲିସର ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ମଝି ସମୁଦ୍ରରେ ପାଟ୍ରୋଲିଂ କରୁଛନ୍ତି । ପ୍ରଥମଥର ପାଇଁ ସମୁଦ୍ର ମଝିରେ ପାଟ୍ରୋଲିଂ ଟିମ୍ ସହ ସାମିଲ ହୋଇଛି କନକ ନ୍ୟୁଜ ।

ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳରେ ମାଛ ମାରିବା ଉପରେ କଟକଣା ଲାଗିଛି । ୧୯୯୭ରୁ ଗହିରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରାଯାଇଥିବା ବେଳେ ୧୯୮୧ରୁ ନୋ-ଫିସିଂ ଜୋନ ଘୋଷଣା କରାଯାଇଛି । ୧୯୮୬ରୁ କୋଷ୍ଟାଲ ରେଗୁଲେସନ ଆଇନ, ୧୯୮୨ରୁ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ୍ ଲାଗୁ ହୋଇଛି । ମେସିନ ଚାଳିତ ଡଙ୍ଗା ଏବଂ ଟ୍ରଲର ସାହାଯ୍ୟରେ ମାଛ ଧରା ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିନ୍ତୁ ମାଛ ମାଫିଆ ସବୁ କଟକଣାକୁ ଫୁ-କରି ବେଆଇନ୍ ଭାବେ ମାଛ ମାରୁଛନ୍ତି । ସେମାନଙ୍କ ଟ୍ରଲର ମାଡରେ ଅଲିଭ ରିଡଲେଙ୍କ ଜୀବନ ଯାଉଛି । ଏହା ଉପରେ ନଜର ରଖିବାକୁ ମଝି ସମୁଦ୍ରରେ ପାଟ୍ରୋଲିଂ କରୁଛି ବନ ବିଭାଗ ଓ ମେରାଇନ୍ ପୁଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଳଚୁଆ ମେରାଇନ ପୁଲିସ ପାଟ୍ରୋଲିଂରେ ସାମିଲ ହୋଇଛି ।

ସାବଧାନ ମାଛ ମାଫିଆ ! ମଝି ସମୁଦ୍ରରେ ପଇଁତରା ମାରୁଛି ମେରାଇନ୍ ପୁଲିସ । ପୂର୍ବରୁ କେବଳ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ସମୁଦ୍ର ଉପରେ ନଜର ରଖିଥିଲେ । ହେଲେ ଏବେ ସ୍ପିଡବୋଟ୍ ନେଇ ସମୁଦ୍ର ମଧ୍ୟରେ ପଇଁତରା ମାରୁଛି ମେରାଇନ୍ ଥାନା ପୁଲିସ । ସଶସ୍ତ୍ରବାହିନୀ ସହ ଦିନରେ ୪ ଘଣ୍ଟା ଓ ରାତିରେ କଡା ପଇଁତରା ଦେଉଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ପୁଲିସ । ପୂର୍ବରୁ ବନ ବିଭାଗ ଅଧିକାରୀଙ୍କୁ ଚକମା ଦେଇ ମାଛ ମାରିବା ସହ କଇଁଛ ମାରି ବିଦେଶକୁ ଚାଲାଣ କରୁଥିବା ମାଫିଆଙ୍କୁ ସାବାଡ କରିବେ ବନବିଭାଗ ଓ ସାମୁଦ୍ରିକ ଥାନା ପୁଲିସର ଏହି ମିଳିତ ଟିମ୍ । ସବୁଠୁ ବଡକଥା ହେଲା ସମୁଦ୍ର ପଥ ଦେଇ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାର ବିଭିନ୍ନ ଅଂଚଳକୁ ପ୍ରବେଶ କରୁଥିବା ବାଲାଂଦେଶ ଅନୁପ୍ରବେଶକାରୀଙ୍କ ଉପରେ ମଧ୍ୟ ନଜର ରହିବ ।