ଆମେରିକାରୁ ଅହମ୍ମଦାବାଦରେ ପହଞ୍ଚିଲା ଟ୍ରମ୍ପଙ୍କ ସୁରକ୍ଷାକବଚ । ମରିନ-ୱାନରେ ବୁଲିପାରନ୍ତି ଟ୍ରମ୍ପ, ମିସାଇଲ ଖସାଇପାରିବନି କି ତୋପ ନଷ୍ଟ କରିପାରିବନି । ଏହି ହେଲିକପ୍ଟର ବିଷୟରେ ଜାଣିଲେ ତାଜୁବ ହୋଇଯିବେ । 

1,235

କନକ ବ୍ୟୁରୋ : ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗୁଜରାଟ । ସୁରକ୍ଷା ଠାରୁ ଆରମ୍ଭ କରି ସାଜସଜ୍ଜା ସବୁଥିରେ ଦିଆଯାଉଛି ଶେଷ ସ୍ପର୍ଶ ।  ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର କାମ ଚାଲିଥିବା ବେଳେ ଟ୍ରମ୍ପଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଛି । ତେବେ ଏସବୁ ଭିତରେ ଟ୍ରମ୍ପଙ୍କ ସୁରକ୍ଷା ଉପରେ କିନ୍ତୁ ଅଧିକ ଫୋକସ କରାଯାଇଛି । ଭାରତୀୟ କମାଣ୍ଡୋଙ୍କ ସହ ଆମେରିକୀୟ ଯବାନ ମଧ୍ୟ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱରେ ରହିବ । ଏହାବାଦ୍ ଟ୍ରମ୍ପଙ୍କ ଯାତାୟତ ପାଇଁ ଅଭେଦ୍ୟ ସୁରକ୍ଷକବଚ ଦ ବିଷ୍ଟ ଭାରତରେ ପହଞ୍ଚି ସାରିଛି । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ଏହାବାଦ୍ ଟ୍ରମ୍ପଙ୍କ ଆଉ ଏକ ସୁରକ୍ଷାକବଚ ମଧ୍ୟ ଅହମ୍ମଦାବାଦରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରିକ ହେଲିକପ୍ଟର ମଧ୍ୟ ଭାରତରେ ପହଞ୍ଚିଛି ।

ଆସନ୍ତା ଫେବ୍ରୁଆରୀ ୨୪ରେ ଟ୍ରମ୍ପ ପତ୍ନୀଙ୍କ ସହ ଅହମ୍ମଦାବାଦରେ ପହଞ୍ଚିବେ । ଏହାପୂର୍ବରୁ ତାଙ୍କ ହେଲିକପ୍ଟର ମରିନ-ୱାନ୍ ଭାରତରେ ପହଞ୍ଚିଛି । ସେହିଭଳି ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗ୍ଲୋବାଲ ମାଷ୍ଟର ମଧ୍ୟ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚି ସାରିଛି । ଏଥିରେ ଆମେରିକାର ପ୍ରଶିକ୍ଷିତ କୁକୁର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ପାଇ କ୍ୟାମେରା, କମାଣ୍ଡୋଙ୍କ ସମେତ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ଅଣାଯାଇଛି ।

ବିଏଚ-୩ କାଟାଗୋରୀର ମରିନ-ୱାନ୍ ହେଲିକପ୍ଟରକୁ ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷାକବଚ ଏଥିପାଇଁ କୁହାଯାଉଛି କାରଣ ଏହା ବିଦେଶ ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସହିତ ଉଡ଼ିଥାଏ । ଏହା ଅନ୍ୟ ହେଲିକପ୍ଟର ଅପେକ୍ଷାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ମରିନ ୱାନ ହେଲିକପ୍ଟରରେ ଆଣ୍ଟି ମିସାଇଲ ସିଷ୍ଟମର ବ୍ୟବହାର କରାଯାଇଥାଏ । ଏହାବାଦ କୌଣସି ତୋପ କିମ୍ବା ମିସାଇଲ ମଧ୍ୟ ଏହି ହେଲିକପ୍ଟରକୁ କ୍ଷତି ପହଞ୍ଚାଇ ପାରିନଥାଏ । ତାଜମହଲ ଓ ମଟୋରା ଷ୍ଟାଡିୟମକୁ ଏହି ମାରିନ ୱାନ୍ ହେଲିକପ୍ଟରରେ ଯାଇପାରନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ ମରିନ ୱାନ୍ ହେଲିକପ୍ଟର ଏକାକୀ ଆକାଶରେ ଉଡ଼େ ନାହିଁ ବରଂ କୌଣସି ଯାତ୍ରା ସମୟରେ ଏହି ହେଲିକପ୍ଟର ଭଳି ୫ଟି ହେଲିକପ୍ଟର ରହିଥାଏ । ଯାହାଦ୍ୱାରା କେଉଁ ହେଲିକପ୍ଟରରେ ଟ୍ରମ୍ପ ରହିଛନ୍ତି ତାହା ଜଣାପଡିବ ନାହିଁ । ଏହି ହେଲିକପ୍ଟରକୁ ଏଭଳି ଭାବେ ନିର୍ମାଣ କରାଯାଇଛି ଯେଉଁଠି ଏକାସଙ୍ଗରେ ୧୪ ଜଣ ବସିପାରିବେ । ଏହାବାଦ୍ ବାହାରର କୌଣସି ଶବ୍ଦ ଏହି ହେଲିକପ୍ଟର ଭିତରକୁ ପଶିପାରିବ ନାହିଁ ।

ସବୁଠୁ ବଡ କଥା ହେଲା, ଟ୍ରମ୍ପଙ୍କ ହେଲିକପ୍ଟର ମରିନ-ୱାନ ଘଣ୍ଟାପ୍ରତି ୧୫୦ କିଲୋମିଟର ସ୍ପିଡରେ ଗତି କରିପାରିବ । ଏଥିରେ ୩ଟି ଇଞ୍ଜିନ ରହିଥାଏ ତେଣୁ  କୌଣସି ମୁହୂର୍ତ୍ତରେ ଯଦି ଗୋଟିଲ ଇଞ୍ଜିନ ଖରାପ ହୋଇଯାଏ ତେବେ ବିନା କୌଣସି ବାଧାରେ ହେଲିକପ୍ଟରଟି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବ । ଏହାବାଦ୍ ଏହି ହେଲିକପ୍ଟରରେ ଯୋଗାଯୋଗ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି ।