ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଆଉ ଏକ ବୃହତ୍ ଉତ୍ସବ: ଆଜିଠାରୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍: ୪୯ ଦିନର କାର୍ଯ୍ୟକ୍ରମ, ଖର୍ଚ୍ଚ ହେବ ୪କୋଟି ୮୨ ଲକ୍ଷ

ବିଳାସପୂର୍ଣ୍ଣ ଟେଣ୍ଟ ଓ କଟେଜରେ ରହିବେ ପର୍ଯ୍ୟଟକ

452

କନକ ବ୍ୟୁରୋ: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଆଉ ଏକ ବୃହତ୍ ଉତ୍ସବ। ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଦୀର୍ଘ ୪୯ ଦିନ ଧରି ଅନୁଷ୍ଠିତ ହେବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।

ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ୍। ସମୁଦ୍ରର ସୁ ସୁ ଶବ୍ଦ ସହ ପଞ୍ଚତାରକା ହୋଟେଲର ଅନୁଭବ ଭେଟି ଦେବ ଏହି ଅସ୍ଥାୟୀ ଟେଣ୍ଟ୍। ଆଗ୍ରହୀ ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ କଟେଜ୍, ରୟାଲ୍ କଟେଜ୍ ଓ ପ୍ରେସିଡେନ୍ସିଆଲ୍ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି। ଏଠାରେ ରହିବା ପାଇଁ ରାତି ପିଛା ଜଣକୁ ୭ ହଜାରରୁ ୨୨ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ମୂଲ୍ୟ ବିଭିନ୍ନ ଦିନରେ ପରିବର୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ନିର୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ବରରୁ ବାହାରିବାଠାରୁ ଆରମ୍ଭ କରି ଖାଦ୍ୟ ପେୟ, ବିଚ୍ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍ ଟ୍ରାଏଲ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ୪କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିପାଇଁ ଏଯାବତ୍ ବୁକିଂ କରି ସାରିଛନ୍ତି ୧୮୪ ଜଣ ପର୍ଯ୍ୟଟକ। ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପରିବେଶ ଦୃଷ୍ଟିରୁ ଏହା ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗଠାରୁ ଅନୁମତି ନିଆଯାଇଛି ।

ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ରାଜ୍ୟର ଲୋକନୃତ୍ୟ ଶିଳ୍ପୀ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ। ତେବେ ଏହି ୪୯ ଦିନ ମଧ୍ୟରେ ପ୍ରତି ଶନିବାର ଦେଶର ଜଣାଶୁଣା ପପ୍, ସେଲେବ୍ରିଟି ଡିଜେ ଓ ବଲିଉଡର କଣ୍ଠଶିଳ୍ପୀମାନେ ସଂଗୀତରେ ମନୋରଞ୍ଜନ କରିବେ। ଉଦଘାଟନୀ ସଂଧ୍ୟାରେ ଆସନ୍ତାକାଲି ‘ୟୁଫୋରିଆ’ ସଂଗୀତ ପରିବେଷଣ କରିବାକୁ ଥିବା ବେଳେ ଅନ୍ୟ ଦିନମାନଙ୍କରେ ଇଣ୍ଡିଆନ୍ ଓସନ୍, ହର୍ଷଦୀପ କୌର, ମାମେ ଖାନ୍, ବେନି ଦୟାଲ୍, ପାପନ, ଦିବ୍ୟ କୁମାର, ସଲିମ ସୁଲେମାନ୍, କ୍ରିଷ୍ଣା ବେଉରା ପ୍ରମୁଖ ସଂଗୀତ କାର୍ଯ୍ୟକ୍ରମ ଭେଟିଦେବେ।
ଇକୋ-ରିଟ୍ରିଟ୍ର ପ୍ରବେଶ ପଥ ଟିକେଟ୍ କାଉଣ୍ଟରରୁ ଟିକେଟ୍ ନେଇ ଦର୍ଶକମାନେ ଏହି ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ। ଟିକେଟର ସର୍ବନିମ୍ନ ମୂଲ୍ୟ ୫୦ ଟଙ୍କା ରହିଛି।

ଭାରତର କ୍ରୀଡ଼ା ରାଜଧାନୀର ପରିଚୟ ପାଇଥିବା ଓଡ଼ିଶାର ସମୁଦ୍ର କୂଳ ଅଞ୍ଚଳ ୪୮୦ କିଲୋମିଟର ବ୍ୟାପୀ ରହିଛି। ଏତେ ବଡ ବେଳାଭୂମି ଦୃଷ୍ଟିରୁ ରାଜ୍ୟ ଜଳକ୍ରୀଡ଼ାକୁ ବେଶ୍ ପ୍ରାଧାନ୍ୟ ଦେଇ ଅସୁଛି। ତେଣୁ ଏହି ଅବସରରେ ଜେଟ୍ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଡ୍ ବୋଟିଂ, ପାରାସେଲିଂ, ଏଟିଭି, ଆର୍ଚେରି, ରାଇଫଲ୍ ସୁଟିଂ, ବାଇସାଇକେଲ୍ ଚାଳନା, ବିଚ୍ ଭଲିବଲ୍ ଆଦି ରୋମାଞ୍ଚଭରା ଖେଳ ଉପଭୋଗ କରିବାର ସୁଯୋଗ ଦେବ ଏହି ଇକୋ ରିଟ୍ରିଟ୍। ଜଳକ୍ରୀଡ଼ା ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିବା ବେଳେ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସକାଳେ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରାଏଲ୍ସର ଅନୁଭବ ସହ ବିଚ୍ ଭଲିବଲର ମଜା ନେଇପାରିବ। ଏଥିସହ ପର୍ଯ୍ୟଟକମାନେ ବିଚ୍ ସ୍ପା’ର ମଜା ମଧ୍ୟ ନେଇପାରିବେ ।

ଇକୋ-ରିଟ୍ରିଟ୍କୁ ୩ ଭାଗରେ ବଣ୍ଟାଯାଇଛି। ପ୍ରଥମତଃ ଇନ୍ ହାଉସ୍ ଅଞ୍ଚଳ। ଯେଉଁଠି କେବଳ ଟେଣ୍ଟ୍ ବୁକିଂ କରି ପର୍ଯ୍ୟଟକମାନେ ରହିପାରିବେ। ଅନ୍ୟଟି ହେଉଛି ପବ୍ଲିକ୍ ଏରିଆ (ବିଚ୍ ମାର୍କେଟ୍)। ଅର୍ଥାତ ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ୍ ଓ ରେସ୍ତୋରାଁ ସ୍ବାଦିଷ୍ଟ ଖାଦ୍ୟ ଭେଟିଦେବେ। ଏହି ପରିସରରେ ଯେ କୌଣସି ଲୋକ ପ୍ରବେଶ କରି କିଣାକିଣି କରିପାରିବେ। ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ ଅଞ୍ଚଳ। ଯେଉଁଠି ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଠାକୁ ପ୍ରବେଶ ପାଇଁ କିଛି ନିର୍ଦିଷ୍ଟ ଦେୟ ଦେବାକୁ ପଡ଼ିବ। ଏତଦବ୍ୟତୀତ ମାଇସ୍ ଟୁରିଜିମକୁ ପ୍ରଚାର ପ୍ରସାର କରିବା ପାଇଁ ଏହି ପରିସରରେ ସମ୍ମିଳନୀ ଆୟୋଜନର ବ୍ୟବସ୍ଥା ରହିବ। ବିଶେଷକରି ୧୫୦ ଜଣଙ୍କୁ ନେଇ ଏହା ମଧ୍ୟରେ କର୍ପୋରେଟ୍ ସମ୍ମିଳନୀ ଆୟୋଜନ କରାଯାଇପାରିବ ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି।