ଫୁଲ ଚାଷ ପ୍ରତି ବଢୁଛି ଆଦର । ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା ।

164

କନକ ବ୍ୟୁରୋ : ପନି ପରିବା ପରେ ଏବେ ଫୁଲ ଚାଷ ପ୍ରତି ବଢୁଛି ଆଦର । ବିଶେଷ କରି ମହିଳା ମାନେ ଏବେ ଫୁଲ ଚାଷ କରି ସ୍ୱାବଲମ୍ବୀ ହବା ସହ ନିଜ ଅଂଚଳ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରୁଛନ୍ତି । ମାଲକାନଗିରି ଜିଲ୍ଲାର ସ୍ୱୟଂ ସହାୟ ଗୋଷ୍ଠୀର ମହିଳା ମାନେ ଏବେ ଗେଣ୍ଡୁ ଫୁଲ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ହସୁଛି କ୍ଷେତ, ହସୁଛନ୍ତି ଚାଷୀ । ମାଲକାନଗିରିରେ ମହିଳାଙ୍କ ଗେଣ୍ଡୁ ଚାଷ । ଫୁଲ ଯୋଗାଉଛି ଆହାର । ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ମାଲକାନଗିରି ମହିଳା । ଏକଦା ମାଓ ଉପଦ୍ରବ ଯୋଗୁ ଭିନ୍ନ ପରିଚୟ ବହନ କରୁଥିଲା ମାଲକାନଗିରି ଜିଲ୍ଲା । ତେବେ ଏବେ ଚାଷବାସ ଓ କୃଷି କ୍ଷେତ୍ରରେ ବେଶ ଆଗେଇ ଚାଲିଛି ମାଲକାନଗିରି ଜିଲ୍ଲା । ପନିପରିବା ସାଙ୍ଗକୁ ଫୁଲ ଚାଷ ପ୍ରତି ମନ ବଳାଉଛନ୍ତି ମହିଳା ଚାଷୀ । ଏବେ ଧାନ ବିରି ମୁଗ ସହ କ୍ଷେତରେ ହସୁଛି ସୁନାର ଗେଣ୍ଡୁ ଫସଲ ।

ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଏମଭି ୧୦ ଗାଁର ଜୟ ମାଁ ତାରିଣୀ ଓ ତୁଳସୀ ଦେବୀ ସ୍ୱୟଂ ସହାୟକ ଗୋଷ୍ଠିର ୨୦ ମହିଳା ନିଜ ନିଜ ବିଲ ବାଡରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି । ପ୍ରତିଟି ଗ୍ରୁପକୁ ମିଳିଥିବା ଏକ ଲକ୍ଷ ଟଙ୍କା ଗୋଷ୍ଠୀ ବିନିଯୋଗ ପାଣ୍ଠିର ସତ ବିନିଯୋଗ କରିବା ସହ ଗୃପ ପିଛା ୫ ହଜାର ଭିଆରଏଫ ପାଣ୍ଠିକୁ ଖର୍ଚ୍ଚ କରି ଭିନ୍ନ ଭିନ୍ନ ସ୍ଥାନରେ ଗେଣ୍ଡୁ ଚାରା ରୋପଣ କରିଛନ୍ତି ମହିଳା ମାନେ । ଆଉ ଏବେ ଗେଣ୍ଡୁ ଅମଳ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସୟଂ ସହାୟକ ଗୋଷ୍ଠୀର ମହିଳା ମାନେ ।

କେବଳ ବ୍ୟବସାୟ ନୁହଁ । ରବି ପନିପରିବା କ୍ଷେତରେ ଗେଣ୍ଡୁ ଫୁଲ ଚାଷ କରିବାର ଭିନ୍ନ ଉପକାରିତା ମଧ୍ୟ ରହିଛି । ଗେଣ୍ଡୁ ଫୁଲର ମହକ ଯୋଗୁ କିଟ ପତଙ୍ଗ ସବୁ ପନି ପରିବା ଫସଲ ଠାରୁ ଦୁରେଇ ରହିଥାଏ । ତେଣୁ ରବି ରୁତୁରେ ପନିପରିବା ମଧ୍ୟରେ ଗେଣ୍ଡୁ ଚାଷ ଲାଗି ପରାମର୍ଶ ଦେଇଛି ଉଦ୍ୟାନ ବିଭାଗ । ତେଣୁ ଉଦ୍ୟାନ ବିଭାଗର ତତ୍ୱାବଧାନରେ ଓଡିଶା ଜୀବିକା ମିଶନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨ଟି ଗୋଷ୍ଠିର ୨୦ ମହିଳାଙ୍କୁ ନେଇ ୭ ହଜାର ୫୦୦ ଗେଣ୍ଡୁ ଚାରା ରୋପଣ କରାଯାଇଛି । ଆଉ ଗୋଟିଏ ଗୋଟିଏ ଫୁଲକୁ ୫୦ ପଇସା ଠାରୁ ଏକ ଟଙ୍କା ଦରରେ ବିକ୍ରି ହେଉଥିବା ଜଣାପଡିଛି । ପର୍ବ ପର୍ବାଣୀ ସମୟରେ ଫୁଲର ଚାହିଦା ବଢୁଥିବା ବେଳେ ସୁନ୍ଦର ସୁନ୍ଦର ବୁକେ ଓ ଫ୍ଲୋରା ଡେକୋରେଶନର ଚାହିଦା ମଧ୍ୟ ବଢିବାରେ ଲାଗିଛି । ତେଣୁ ଆଗାମି ଦିନରେ ଗେଣ୍ଡୁ ସମେତ ଗୋଲାପ, ଜରବେରା ଆଦି ଫୁଲ ଚାଷକୁ ବ୍ୟାପକ କରିବାକୁ ଲକ୍ଷ ରଖିଛି ଓଡିଶା ଜୀବିକା ମିଶନ ।