ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଙ୍କୀ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ । ପୂର୍ବରୁ କରୁଥିଲେ ପରିବା ଚାଷ

132

କନକ ବ୍ୟୁରୋ : ମନ୍ଦିର ଠାରୁ ମଶାଣି ପର୍ଯ୍ୟନ୍ତ ସବୁଠି ରହିଛି ଗେଣ୍ଡୁ ଫୁଲର ଚାହିଦା । ଅନ୍ୟ ଚାଷ ଅପେକ୍ଷା ଗେଣ୍ଡୁ ଫୁଲ ଚାଷରେ ଭଲ ଲାଭ ମିଳୁଥିବାରୁ ଏହି ଚାଷ ପ୍ରତି ଅନେକ ଚାଷୀ ଏବେ ମନ ବଳାଇଲେଣି । ବାଙ୍କୀ-ଡମପଡା ବ୍ଲକ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ ବେଉରା ନିଜ ଜମିରେ ଗେଣ୍ଡୁଫୁଲ ଚାଷ କରି ଭଲ ରୋଜଗାର ଭଲ ରୋଜଗର କରୁଛନ୍ତି । ସେ ପ୍ରତିବର୍ଷ ପରିବା ଚାଷ କରୁଥିଲେ । ମାତ୍ର ବନ୍ୟା ଓ ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଉଥିଲା । ଯାହା କିଛି ଅମଳ କରନ୍ତି ତାହା ପରିବାର ଚଳାଇବାରେ ଯଥେଷ୍ଟ ହେଉନଥିଲା । ତେଣୁ ଚଳିତ ବର୍ଷ ପରିବା ଚାଷ ବଦଳରେ ଗେଣ୍ଡୁ ଫୁଲ ଚାଷ କରିବାକୁ ନିଷ୍ପତି ନେଇଥିଲେ ଗତିକାନ୍ତି । କଲିକତାରୁ ମଞ୍ଜି ଆଣି ପ୍ରଥମେ ଚାରା ପକାଇଥିଲେ । ପ୍ରଥମ ଥର କରି ଏହି ଚାଷ କରିଥିବାରୁ ୨ ଥର ଚାରା ନଷ୍ଟ ହେବା ପରେ ତୃତୀୟ ଥର ବେଳକୁ ସେ ଭଲ ଚାରା ପ୍ରସ୍ତୁତ କରିପାରିଥିଲେ । ୧୮ ଗୁଣ୍ଠ ଜମିରେ ହୋଇଥିବା ଏହି ଗେଣ୍ଡୁଫୁଲ ଚାଷରେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏପର୍ଯ୍ୟନ୍ତ ୪୦ ହଜାର ଟଙ୍କାରୁ ଉର୍ଦ୍ଧ ରୋଜଗାର ହୋଇସାରିଥିବା ବେଳେ ଆଗକୁ ଭଲ ରୋଜଗାର ହେବାର ଆଶା ରହିଛି ।

ଏହି କାମରେ ତାଙ୍କ ଝିଅ ମଧ୍ୟ ତାଙ୍କୁ ସହଯୋଗ କରୁଛି । ପାଠ ପଢିବା ସହିତ ଚାଷ କାର୍ଯ୍ୟରେ ବାପାଙ୍କୁ ସାହାଯ୍ୟ କରୁଛି । ଫୁଲ ତୋଳିବା ଠାରୁ ଆରମ୍ଭ କରି ପାଣି ମଡାଇବା ପର୍ଯ୍ୟନ୍ତ ପ୍ରାୟ ଅଧା କାର୍ଯ୍ୟ ତାଙ୍କ ଝିଅ କରିଥାଏ । ଏହି ଚାଷରେ ଭଲ ଲାଭ ମିଳୁଥିବାରୁ ଆଗାମୀ ବର୍ଷ ସମ୍ପୂର୍ଣ୍ଣ ପରିବା ଚାଷକୁ ବାଦ ଦେଇ କେବଳ ଗେଣ୍ଡୁଫୁଲ ଚାଷ କରିବେ ବୋଲି ନିଷ୍ପତି ନେଇଛନ୍ତି ଗତିକାନ୍ତ ।

ଯୁବ ଚାଷୀ ଗତିକାନ୍ତ ଗେଣ୍ଡୁଫୁଲ ଚାଷ କରି ପରିବାର ପରିବାର ପ୍ରତିପୋଷଣ କରିବା ସହିତ ସ୍ଥାନୀୟ ଅଂଚଳରେ ଜଣେ ସଫଳ ଚାଷୀ ହିସାବରେ ବେଶ ପରିଚୟ ସୃଷ୍ଟି କରିଛନ୍ତି ।