ସୁପର-୮ ମୁକାବିଲା ପୂର୍ବରୁ ଆସିଲା ଆଇସିସି ଟି-୨୦ ରାକିଂ । ଜାଣନ୍ତୁ ଭାରତର କେଉଁ ଖେଳାଳୀ କେଉଁ ବିଭାଗର କେତେ ନମ୍ବର ସ୍ଥାନରେ ରହିଛନ୍ତି?

2,183

କନକ ବ୍ୟୁରୋ : ଆଇସିସି ଟି-୨୦ ବିଶ୍ୱକପର ସୁପର-୮ ମୁକାବିଲା ଆଜି ଠାରୁ ଖେଳାଯିବ । ଭାରତ ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ନିଜର ସୁପର-୮ ଅଭିଯାନ ଆରମ୍ଭ କରିବ । ତେବେ ଏସବୁ ଭିତରେ ଆଇସିସି ଟି-୨୦ ରାକିଂ ଜାରି କରିଛି । ଆଇସିସି ପକ୍ଷରୁ ଜାରି ହୋଇଥିବା ରାକିଂରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ ଟି-୨୦ କ୍ରିକେଟରେ ଏବେ ନମ୍ବର ୱାନ ଅଲରାଉଣ୍ଡର ଭାବେ ଉଭା ହୋଇଛନ୍ତି । ସେହିଭଳି ମହମ୍ମଦ ନବି ଚତୁର୍ଥ ସ୍ଥାନକୁ ଖସିଛନ୍ତି । ତାଲିକାର ଦ୍ୱିତୀୟ ସ୍ଥାନରେ ହସରଙ୍ଗା ଥିବା ବେଳେ ତୃତୀୟ ସ୍ଥାନରେ ସାକିବ ଅଲ ହାସନ ରହିଛନ୍ତି ।

ସେହିଭଳି ଶ୍ରେଷ୍ଠ ବ୍ୟାଟର ତାଲିକାର ଏକ ନମ୍ବରରେ ସୂର୍ଯ୍ୟକୁମାର ଯାଦବ, ଦ୍ୱିତୀୟ ସ୍ଥାନରେ ଫିଲ ସଲ୍ଟ, ତୃତୀୟ ସ୍ଥାନରେ ବାବର ଆଜମ ରହଛନ୍ତି ।ସେହିଭଳି ୫ଟି ସ୍ଥାନ ଉପରକୁ ଉଠି ପ୍ରଥମଥର ପାଇଁ ଟପ୍-୫ ବ୍ୟାଟର ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଟ୍ରାଭିସ ହେଡ । ତାଲିକାରେ ଅନ୍ୟତମ ଭାରତୀୟ ଭାବେ ଯଶସ୍ୱୀ ଜୟସ୍ୱାଲ ୭ ନମ୍ବର ସ୍ଥାନରେ ଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ୨ଟି ଲେଖାଏଁ ସ୍ଥାନ ପଛକୁ ଫେରିଛନ୍ତି । କୋହଲି ୫୦ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୫୧ ନମ୍ବର ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ବୋଲିଂ ରାକିଂ ତାଲିକାରେ ୱେଷ୍ଟଇଣ୍ଡିଜର ଅକିଲ ହୁସେନ ୬ଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ଆଦିଲ ରସିଦ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତୀୟ ସ୍ପିନର ଅକ୍ଷର ୨ଟି ସ୍ଥାନ ତଳକୁ ଖସି ୯ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।