କନକ ବ୍ୟୁରୋ: ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ନେତାଙ୍କ ଘନ ଘନ ବୈଠକ ହେଉଛି । ହେଲେ ବିଜେଡି-ବିଜେପି ମେଂଟ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରୁନାହିଁ । ଗୋଟିଏ ପଟେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଏବଂ ଅନ୍ୟପଟେ ଛତିଶଗଡ଼ରେ ରାଜ୍ୟ ବିଜେପି ସଭାପତିଙ୍କ ସହ ଅନ୍ୟ ବିଜେପି ନେତା ଆଲୋଚନା କରିଛନ୍ତି । ଏପଟେ ବିଜେଡି ସହ ବିଜେପିର ମେଂଟ ହେଲେ, ଏନଡିଏର କଳେବର ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । ବିଜେଡି କହିଛି, ମେଂଟ ନେଇ ନାହିଁ କୌଣସି ଦ୍ୱନ୍ଦ୍ୱ ।

ବିଜେଡି-ବିଜେପି ମେଂଟକୁ ନେଇ, ଦୁଇ ଦଳର ନେତା ସ୍ପଷ୍ଟ ସୂଚନା ଦେଉନାହାନ୍ତି । କିନ୍ତୁ, ଦିଲ୍ଲୀଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତୁହାକୁ ତୁହା ନେତାଙ୍କ ବୈଠକ ମେଂଟ ଚର୍ଚ୍ଚାକୁ ବଢ଼ାଇ ଦେଇଛି । ସୂଚନା ଅନୁସାରେ, ଦିଲ୍ଲୀରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଛତିଶଗଡ ଭବନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ଜୁଏଲ ଓରାମ, ସମ୍ବିତ ପାତ୍ର, ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ-ପ୍ରଭାରୀ ଲତା ଉଷେଣ୍ଡି ଆଲୋଚନା କରିଛନ୍ତି । ଏବଂ ଆଲୋଚନାରୁ ଯାହା ନିଷ୍କର୍ଷ ବାହାରିଛି, ସେହି ଅନୁସାରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରୀୟ ନେତୃତ୍ୱକୁ ଦେଇଥିବା ସୂଚନା ମିଳିଛି । ଏପଟେ ଭୁବନେଶ୍ୱରରେ ମଧ୍ୟ ତୁହାକୁ ତୁହା ନେତାଙ୍କ ବୈଠକ ଚାଲିଛି । ହେଲେ, ବୈଠକରେ କଣ ଆଲୋଚନା ହେଉଛି, ସେ ନେଇ ବିଜେପି ନେତାମାନେ ମୁହଁ ଖୋଲୁନାହାନ୍ତି । କିନ୍ତୁ, ଶୀର୍ଷ ନେତୃତ୍ୱ ଯାହା ନିଷ୍ପତି ନେବେ ତାହାକୁ ଗ୍ରହଣ କରିବେ ବୋଲି କହିଛନ୍ତି ।

କୁହାଯାଉଛି, ରାଜ୍ୟ ନେତୃତ୍ୱ ଦେଇଥିବା ରିପୋର୍ଟ ଉପରେ ବିଚାରବିମର୍ଷ କରି ଚୂଡାନ୍ତ ନିଷ୍ପତି ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା । ଆଉ ଖୁବଶୀଘ୍ର ମେଂଟର ରୂପରେଖ ଆସିବ ।

ବିଜେପି ନେତାଙ୍କ ଘନ ଘନ ବୈଠକ ଉପରେ ସାରାଦେଶର ନଜର ରହିଛି । ବିଜେଡି ସହ ବିଜେପିର ମେଂଟ ହେଲେ, ଏନଡିଏର କଳେବର ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । ହେଲେ, ଦୁଇ ଦଳର ନେତା ମେଂଟର ଚିତ୍ର ନେଇ ସ୍ପଷ୍ଟ ସୂଚନା ଦେଉନଥିବାରୁ ସସପେନ୍ସ ଲାଗି ରହିଛି । ତେବେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଓ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ସମସ୍ତେ ତାକୁ ମାନିବେ ।.. ସେପଟେ ମେଂଟକୁ ପ୍ରସଙ୍ଗରେ ଦୁଇ ଦଳକୁ କଟାକ୍ଷ କରିଛି କଂଗ୍ରେସ ।

ବିଜେଡି ବିଜେପି ମେଂଟ ଉପରେ କେବଳ ଓଡିଶାର ନୁହେଁ ସାରାଦେଶର ନଜର ରହିଛି । କାରଣ ବିଜେଡି-ବିଜେପିର ମେଂଟ ହେଲେ ଏନଡିଏର କଳେବର ବଢ଼ିବା ସହ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ।