କନକ ବ୍ୟୁରୋ: କିଛି ଦିନ ତଳେ, ରାଜ୍ୟ ନିର୍ବାଚନୀ ରାଜନୀତି ଶିଥିଳ ଲାଗୁଥିଲା । ଏବେ କିନ୍ତୁ ସେଥିରେ ଭରି ଯାଇଛି ଉଷ୍ମତା । କାରଣ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରାର୍ଥୀଙ୍କ ପ୍ରଚାର । ଆଉ ସମ୍ବଲପୁରରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳୁଛି । ମାରାଥନ କ୍ୟାମ୍ପେନ୍ କରୁଛନ୍ତି ବିଜେପି ଓ ବିଜେଡି ସାଂସଦ ପ୍ରାର୍ଥୀ । ସମ୍ବଲପୁର ଗଡ ଦଖଲ ପାଇଁ କସରତ ଚଳାଇଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଜଣେ କେନ୍ଦ୍ରମନ୍ତ୍ରୀ ଆଉ ଜଣେ ଦଳର ସାଙ୍ଗଠନିକ ସଂପାଦକ । ତେଣୁ ଉଭୟଙ୍କ ପାଇଁ ସମ୍ମାନର ଲଢେଇ ପାଲଟିଛି ସମ୍ବଲପୁର ।

Advertisment

ସମ୍ବଲପୁର ସଂସଦୀୟ କ୍ଷେତ୍ର ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନ ଓ ମର୍ଯ୍ୟାଦାର ପ୍ରଶ୍ନ । କାରଣ ଜଣେ ହେଉଛନ୍ତି ହେଭିୱେଟ କେନ୍ଦ୍ରମନ୍ତ୍ରୀ ଆଉ ଜଣେ ହେଉଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ । ପୂରା ଦଳ ବଳକୁ ନେଇ ସମ୍ବଲପୁର ଗଡ ଦଖଲ କରିବା ପାଇଁ କସରତ ଚଳାଇଛନ୍ତି ।

ସମ୍ବଲପୁର ଲୋକସଭା ଆସନର ୭ ବିଧାନସଭା ମଣ୍ଡଳୀକୁ ଯାଇ ମାରାଥନ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେତେବେଳେ ଲୋକଙ୍କୁ ଭେଟୁଛନ୍ତି, ଆଉ ଜନସମାବେଶ କରି ବିକଶିତ ଭାରତ ଓ ମୋଦୀ ଗ୍ୟାରେଂଟିର ପ୍ରତିଶ୍ରୁତି ଦେଉଛନ୍ତି । ଦେବଗଡ, ଛେଣ୍ଡିପଦା, ଆଠମଲିକ, ରେଢ଼ାଖୋଲ ପରେ ମାନେଶ୍ୱରରେ ଶ୍ରୀରାମ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ତାପରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେହିପରି ଗୋବିନ୍ଦପାଲି ଗସ୍ତ କରି ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ସାମିଲ ହୋଇଛନ୍ତି । କାନିଜୁରୀରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ମଧ୍ୟ ସାମଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି ପ୍ରଣବ ପ୍ରକାଶ ଦାସ । ଦେବଗଡ, ସମ୍ବଲପୁର, ରେଢ଼ାଖୋଲରେ ବିଭିନ୍ନ ସମାବେଶ ସହିତ ବାଇକ୍ ରାଲି କରିଛନ୍ତି । ସମ୍ବଲପୁରେ ମା ସମଲେଶ୍ୱର, ଓ ଦେବଗଡର ଆରାଧ୍ୟ ଦେବୀ ମା ପ୍ରଧାନପାଟେଶ୍ୱରୀଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟକୁ ଆଗେଇ ନେଇଛନ୍ତି । ବିଭିନ୍ନ ସ୍ଥାନରେ ପ୍ରଣବଙ୍କୁ ସ୍ୱାଗତ କରିଛନ୍ତି ଦଳୀୟ କର୍ମୀ ଓ ସମର୍ଥକ । ଏହି ଅବସରରେ ପ୍ରଣବ କହିଛନ୍ତି, ଜାତୀୟ ଦଳ ଓଡିଶାକୁ ବିନ୍ଦୁ ଭାବେ ଦେଖୁଥିବାବେଳେ ବିଜୁ ଜନତା ଦଳ ଓଡିଶାକୁ ସିନ୍ଧୁ ଭାବେ ଗ୍ରହଣ କରିଛି ।

କୁହାଯାଉଛି ସମ୍ବଲପୁରରେ ଏବେ ଟ୍ରେଲର ଦେଖିବାକୁ ମିଳୁଛି । ଆଗାମି ଦିନରେ ମୋଦୀ, ଶାହାଙ୍କ ଭଳି ବଡ ବଡ ଚେହେରା ଆସିବେ, ପ୍ରଚାର କରିବେ । ସେହିପରି ନବୀନ ମଧ୍ୟ ମଇଦାନକୁ ଓହ୍ଲାଇବେ । ତେଣୁ ସମ୍ବଲପୁର ଫାଇଟ୍ ଜୋର ଜବରଦସ୍ଥ ହେବ ।