ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ପଡିଲା ମହଙ୍ଗା, ଏବେ ପୋଲିସ କଷ୍ଟଡିରେ ମରାଠୀ ଅଭିନେତ୍ରୀ କେତକୀ

257

କନକ ବ୍ୟୁରୋ : ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟ କରି ଅଡୁଆରେ ପଡିଛନ୍ତି ମରାଠୀ ଅଭିନେତ୍ରୀ କେତକୀ ଚିତାଲେ    । ଏନେଇ ତାଙ୍କ ନାମରେ ୩ ଟି ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି । କେତକୀଙ୍କ ଏଭଳି ପୋଷ୍ଟକୁ ନେଇ ରାଜ୍ୟର ଏନସିପି ନେତାମାନେ କେତକୀଙ୍କ ଉପରେ ରାଗ କରିଥିଲେ । ଏହାପରେ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

କେତକୀ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଥିଲେ ସେଥିରେ ସେ ସିଧା ସଳଖ ଶରଦଙ୍କ ନାମ ନେଇ ନଥିଲେ ବି ୮୦ ବର୍ଷ ବୟସ ବୋଲି ଲେଖିଥିଲେ । ସେ ଲେଖିଥିଲେ କି ଆପଣ ବ୍ରାହ୍ମଣଙ୍କୁ ଘୃଣା କରୁଥିବାରୁ ନର୍କ ଆପଣଙ୍କ ଅପେକ୍ଷାରେ ରହିଛି । ଏହା ଶରଦ ପାୱାରଙ୍କ ଉର୍ଦ୍ଦେଶ୍ୟରେ ଲେଖାଯାଇଥିବା ଏନସିପି ନେତାମାନେ ଅଭିଯୋଗ କରିଛନ୍ତି ।

ଏନେଇ କେତକୀଙ୍କ ବିରୋଧରେ ମାନହାନୀ, ଘୃଣା ସୃଷ୍ଟି କରିବାକୁ ଉଦ୍ୟମ ଭଳି ଅନେକ ଧାରାରେ ଅଭିଯୋଗ ହୋଇଛି । କେବଳ କେତକୀ ନୁହେଁ ମହାରାଷ୍ଟ୍ର ନାସିକ ଜିଲ୍ଲାର ଜଣେ ଫାର୍ମସୀ ଛାତ୍ର ନିଜ ଟ୍ୱିଟରରେ ଶରଦ ପାୱାରଙ୍କ ବିରୋଧରେ ଏକ ପୋଷ୍ଟ କରିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଛାତ୍ର ନିଖିଲି ଟ୍ୱିଟରରେ ଲେଖିଥିଲେ କି ବାରାମତୀର ଗାନ୍ଧୀଙ୍କ ପାଇଁ ବାରାମତୀର ନାଥୁରାମ ହେବାର ସମୟ ଆସିଯାଇଛି   । ଏଥିରେ ସେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ନାମ ନେଇ ନ ଥିଲେ ।