କନକ ବ୍ୟୁରୋ : ସାତ ଦିନ ପରେ ସ୍ୱାମୀ ଫେରିଲେ । ଆଉ ତାହା ବି ପୁଣି ମାଓବାଦୀଙ୍କ ମୃତ୍ୟୁର ପଞ୍ଝାରୁ । ଜଙ୍ଗଲ ଭିତରେ ୭ ଦିନ ବୁଲିଲେ, ସ୍ୱାମୀଙ୍କ ଜୀବନ ବଞ୍ଚାଇଲେ । ପ୍ରଜାମେଳିର ନିଷ୍ପତ୍ତି ପରେ ଇଞ୍ଜିନିୟର ଅଜୟ ରୋଶନ ଲକଡାଙ୍କୁ ଛାଡିଛନ୍ତି ମାଓବାଦୀ । ଆଉ ଏଥିପାଇଁ ୫ଟି ସର୍ତ୍ତ ରଖିଛନ୍ତି । ମାଓ ଅଞ୍ଚଳରେ ପୋଲ ନିର୍ମାଣକୁ ବିରୋଧ କରୁଛନ୍ତି ମାଓବାଦୀ । ଏହାସହ ମାଓ ଅଞ୍ଚଳରେ କୌଣସି କ୍ୟାମ୍ପ ସ୍ଥାପନ ହେବନି କି ପୋଲ କିମ୍ବା ରାସ୍ତା ନିର୍ମାଣ ହେବନି । ମାଓଗଡରେ କୌଣସି ବିକାଶ ଚାହୁଁନାହାନ୍ତି ଲାଲବାହିନୀ । ଏହାସହ ଯେଉଁ ଠିକାଦାର ପୋଲ ବା ରାସ୍ତା ନିର୍ମାଣ କରିବେ ସେମାନଙ୍କୁ ହତ୍ୟା କରାଯିବ ବୋଲି ରୋକଠୋକ ଶୁଣାଇଛନ୍ତି ମାଓବାଦୀ ।
ବିଜାପୁର ଜିଲ୍ଲାର ମନକେଲି ଅଂଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଚାଲିଥିବା ବେଳେ ଏହାର ତଦାରଖ ପାଇଁ ଯାଇଥିବା ବେଳେ ଇଞ୍ଜିନିୟର ଅଜୟ ରୋଶନ ଲକଡାଙ୍କୁ ଅପହରଣ କରିନେଇଥିଲା ଲାଲବାହିନୀ । କିନ୍ତୁ ଏହାପରେ ଅଜୟଙ୍କୁ ଉଦ୍ଧାର ପାଇଁ ପ୍ରଶାସନିକ କିମ୍ବା ସରକାରୀ ସ୍ତରରେ ସେଭଳି ତତ୍ପରତା ଦେଖିବାକୁ ମିଳିନଥିଲା । ଦିନ ବିତୁଥିଲା, କିନ୍ତୁ ଅଜୟଙ୍କ ବାବଦରେ କୌଣସି ଖୋଜଖବର ମିଳୁନଥିଲା । ଶେଷରେ ନିଜର ସିନ୍ଦୁରକୁ ବଞ୍ଚାଇବାକୁ ୩ ବର୍ଷର ଶିଶୁ ପୁତ୍ରକୁ କୋଳରେ ଧରି ଜଙ୍ଗଲ ଅଭିମୁଖେ ବାହାରିଥିଲେ ସ୍ତ୍ରୀ । ଜଙ୍ଗଲ ଭିତରେ କିଟିମିଟି ଅନ୍ଧାରକୁ ଭୟ କରିନଥିଲେ ସ୍ତ୍ରୀ ଅର୍ପିତା ।
ଦୀର୍ଘ ଦିନ ୭ ଦିନ ଜଙ୍ଗଲ ଭିତରେ ଘୂରି ବୁଲିଥିଲେ ଅର୍ପିତା । କିନ୍ତୁ ମାଓବାଦୀଙ୍କ ପକ୍ଷରୁ ଅଜୟଙ୍କୁ ମୁକୁଳାଇବା ପାଇଁ କୌଣସି ସଂକେତ ମିଳିନଥିଲା । ଶେଷରେ ସ୍ଥାନୀୟ ସାମ୍ବାଦିକ ମାନେ ଅର୍ପିତାଙ୍କ ସହ ଜଙ୍ଗଲକୁ ଯାଇଥିଲେ । ଆଉ ମାଓବାଦୀଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ । ମାଓବାଦୀଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା ସତ କିନ୍ତୁ ଇଞ୍ଜିନିୟରଙ୍କୁ ମୁକାଳାଇବାକୁ ସେଭଳି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିନଥିଲା । କିନ୍ତୁ ଆଜି ସକାଳେ ସ୍ଥାନୀୟ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଏକ ନିର୍ଦ୍ଦିଷ୍ଟ ଜଙ୍ଗଲକୁ ଅର୍ପିତାଙ୍କୁ ଧରି ଆସିବାକୁ କୁହାଯାଇଥିଲା । ଆଉ ଜଙ୍ଗଲରେ ପହଞ୍ଚିବା ପରେ ମୁକେଶ ସେଠାରେ ପ୍ରଜାମେଳି ହେଉଥିବାର ଦେଖିବାକୁ ପାଇଥିଲେ । ପ୍ରଜାମେଳିରେ ଅଜୟଙ୍କୁ ଛିଡା କରି ଦୀର୍ଘ ସମୟ ଧରି ଚାଲିଲା ଆଲୋଚନା । ଆଉ ଶେଷରେ ୫ଟି ସର୍ତ୍ତ ସହ ସ୍ତ୍ରୀ ଅର୍ପିତାଙ୍କ ଉପସ୍ଥିତିରେ ଇଞ୍ଜିନିୟର ସ୍ୱାମୀ ଅଜୟଙ୍କୁ ଛାଡିଥିଲେ ମାଓବାଦୀ । ଆଉ ଦୀର୍ଘ ୭ ଦିନ ପରେ ସ୍ୱାମୀଙ୍କୁ ଦେଖି ଅର୍ପିତାଙ୍କୁ ଆଖିରୁ ଲୁହ ଝରିବା ବନ୍ଦ ହୋଇନଥିଲା । କିନ୍ତୁ ମାଓବାଦୀଙ୍କ ମୃତ୍ୟୁର ପଞ୍ଝାରୁ ସ୍ୱାମୀଙ୍କୁ ମୁକୁଳାଇ ଆଣିଥିବାରୁ ଅର୍ପିତା ଖୁସିରେ ଆତ୍ମହରା ହୋଇଯାଇଥିଲେ ।