ଆତ୍ମସମର୍ପଣ କରି ମିଳିଛି ଆତ୍ମସମ୍ମାନ…ବନ୍ଧୁକ ଛାଡି ହାତରେ ଧରିଲେ ଚା’ କେଟିଲ…ମୁଖ୍ୟସ୍ରୋତରେ ସାମିଲ ହେବା ପରେ ସ୍ୱାବଲମ୍ବି ହେବାକୁ ଚା’ ବିକୁଛନ୍ତି ୨ ଟପ୍ ମାଓ ନେତା

ମାଲକାନଗିରିରୁ ଆସିଛି ନିଆରା ଚିତ୍ର

527

କନକ ବ୍ୟୁରୋ: ମାଲକାନଗିରିରୁ ଆସିଛି ନିଆରା ଚିତ୍ର । ଦିନେ ଥିଲେ ଟପ୍ ମାଓ ନେତା । ଆଜି ବନ୍ଧୁକ ଛାଡି ହାତରେ ଧରିଛନ୍ତି ଚା କେଟିଲ୍ । ଚାହା ଦୋକାନ କରି ଲୋକଙ୍କୁ ଚାହା ବିକୁଛନ୍ତି । ଜଳଖିଆ ଦୋକାନ ବି କରିଛନ୍ତି । ଲାଲଗଡ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବଂଚିବା ପାଇଁ ଏହି ବାଟକୁ ବାଛି ନେଇଛନ୍ତି ମାଲକାନଗିରିର ଦୁଇ ପୂର୍ବତନ ମାଓ କ୍ୟାଡର ରାମ ମାଡକାମୀ ଓରଫ୍ ଦିନେଶ ଏବଂ ଭୀମା ସୋଢି ଓରଫ ରୁଷି ।

ଭୀମା ସୋଢି ୭ ବର୍ଷ ଧରି ବାଲିମେଳା ଓ କାଲିମେଳା ଏବଂ ପଡିଆ ଦଳମରେ କାମ କରିଛନ୍ତି । ପଡିଆ ବ୍ଲକ ବିସ୍ପୋରଣ , ଏମଭି ୧୨୬ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ପରି ବଡ ବଡ ମାଓ ହିଂସାରେ ଥିଲା ସଂପୃକ୍ତି । ତାଙ୍କ ନାଁରେ ଥିଲା ୪ ଲକ୍ଷ ଟଂକାର ପୁରସ୍କାର । ସେହିପରି ଦିନେଶ ଓରଫ୍ ରାମ ମାଡକାମୀ ମଧ୍ୟ ୨୦୧୨ରୁ ୨୦୧୫ ଯାଏଁ ସକ୍ରିୟ ଥିଲେ ଲାଲଗଡରେ । ଏକାଧିକ ମାଓହିଂସାରେ ସଂପୃକ୍ତ ଏହି ମାଓନେତାଙ୍କ ନାଁରେ ଥିଲା ୩ ଲକ୍ଷ ଟଂକାର ପୁରସ୍କାର ।

ଲାଲଗଡରୁ ବିମୁଖ ହୋଇ ୨୦୧୪ ଓ ୨୦୧୫ରେ ଦୁଇ ମାଓନେତା ଆତ୍ମସମର୍ପଣ କରିବା ପରେ ଏହି ରୋଜଗାର ପନ୍ଥାକୁ ବାଛି ନେଇଛନ୍ତି । ଏବେ ପ୍ରତିଦିନ ପରିଶ୍ରମ କରି ଯାହା ଉପାର୍ଜନ କରୁଛନ୍ତି ସେଥିରେ ଘର ଚଳୁଛି । ମାଲକାନଗିରିରେ ଏହି ଦୁଇ ମାଓନେତା ବଂଚିବା ପାଇଁ ସଂଘର୍ଷର ବାଟ ବାଛିନେବା ଅନ୍ୟ ମାଓସାଥୀଙ୍କ ପାଇଁ ବାଟ ଦେଖାଇବ ନିଶ୍ଚୟ ।