କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବଦଳୁଛି ମାଓବାଦୀଙ୍କ ରଣନୀତି । ବଦଳୁଛି ମାଓବାଦୀଙ୍କ ଠିକଣା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସଙ୍ଗଠନ ଏବେ ଦୁର୍ବଳ ହବା ପରେ କଳାହାଣ୍ଡି- କନ୍ଧମାଳ ଅଂଚଳରେ ସକ୍ରୀୟ ହୋଇ ଉଠିଛି କେକେବିଏନ ଡିଭିଜନ । କଳାହାଣ୍ଡି ଓ କନ୍ଧମାଳରେ ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଜଣେ ସାମ୍ବାଦିକ ଓ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା, ନିର୍ବାଚନକୁ ନେଇ ମାଓ ସଙ୍ଗଠନର କଡା ଆଭିମୁଖ୍ୟ ସ୍ପଷ୍ଟ କରୁଥିବା ବେଳେ ସେଠାରେ ନିର୍ବାଚନ କରାଇବା ଏବେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ନିର୍ବାଚନ ସମୟରେ ସକ୍ରିୟ ମାଓବାଦୀ । ବ୍ୟାନର ତଳେ ବିଛାଉଛନ୍ତି ମୃତ୍ୟୁର ଫାଶ । ନିର୍ବାଚନକୁ ବିରୋଧ କରି ଆସୁଥିବା ମାଓବାଦୀ ସଂଗଠନ ନିର୍ବାଚନ ସମୟରେ ପୁଣି ଥରେ ସକ୍ରିୟ ହୋଇଛନ୍ତି । କିନ୍ତୁ ଏଥର ଠିକଣା ବଦଳାଇ ନୂଆ ଠିକଣା ବାଛିଛନ୍ତି । ମାଲକାନଗିରି ବଦଳରେ ଏଥର କନ୍ଧମାଳ ଓ କଳାହାଣ୍ଡି ପାଲଟିଛି ନୂଆ ଠିକଣା । ନିଜର ଉପସ୍ଥିତି ଜାହିର କରିବା ପାଇଁ ଗତ ୫ ତାରିଖରେ କଳାହାଣ୍ଡି ମଦନପୁର-ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗାଁରେ ମାଓବାଦୀମାନେ ପୋଷ୍ଟର ତଳେ ଖଞ୍ଜି ଥିବା ପ୍ରେସର ବୋମା ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳ ପ୍ରାଣ ହରାଇଥିଲେ । ଆଉ ଏହି ଘଟଣାର ଠିକ ୩ ଦିନ ପରେ କନ୍ଧମାଳ କିଆମୁଣ୍ଡାଠାରେ ଦୁଇଟି ଜେସିବି ପୋଡିବା ପରେ ସେଠାରେ ବ୍ୟାନର ପୋଷ୍ଟର ତଳେ ମୃତ୍ୟୁର ଫାଶ ପକାଇଥିଲେ ମାଓବାଦୀ । ସେଠାରେ ମଧ୍ୟ ପୋଷ୍ଟର ଦେଖିବାକୁ ଯାଇ ବୋମା ବିସ୍ଫୋରଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ଜଣେ ୨୦ ବର୍ଷିୟ ଯୁବକ ପ୍ରଣୟ ରଞ୍ଜନ କଅଁର ।
କନ୍ଧମାଳ କଳାହାଣ୍ଡି ଅଞ୍ଚଳରେ ମୁଣ୍ଡ ଟେକୁଛି କେକେବିଏନ୍ ଡିଭିଜନ୍ । ଭୌଗଳିକ ସ୍ଥିତିକୁ ଦେଖିଲେ କନ୍ଧମାଳ ସୀମାରେ ରହିଛି କଳାହାଣ୍ଡି ଏମ. ରାମପୁର ବ୍ଲକର ମୋହନଗିରି ଗାଁ । ଆଉ କନ୍ଧମାଳ, କଳାହାଣ୍ଡି ବୌଦ୍ଧ ନୟାଗଡକୁ ନେଇ ମାଓବାଦୀମାନେ କେକେବିଏନ୍ ଡିଭିଜନ ଗଠନ କରି ଏହାକୁ ଏକ ନୂତନ କରିଡର ଭାବେ ବ୍ୟବହାର କରୁଥିବାବେଳେ ଓଡିଶାର କୁଖ୍ୟାତ ମାଓନେତା ନିଖିଲ ଏହି ସଙ୍ଗଠନର ନେତୃତ୍ୱ ନେଉଛନ୍ତି । ସେହିପରି କନ୍ଧମାଳ, କଳାହାଣ୍ଡି, ନୟାଗଡ, ବୌଦ୍ଧ ପରି ଅନେକ ଛୋଟ ଛୋଟ ଆଞ୍ଚଳିକ କମିଟି ଗଠନ କରି ଏହାର ମଙ୍ଗ ଧରିଛନ୍ତି ଛତିଶଗଡ କ୍ୟାଡରର ମାଓନେତା ପ୍ରଦୀପ, ଦାସରୁ ଓ ମମତା ପ୍ରମୁଖ । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ଏସବୁ କରୁଥିବା କହିଛନ୍ତି କନ୍ଧମାଳ ଏସପି ସରବଣା ବିବେକ ।
ସେପଟେ ମାଲକାନଗିରି, କୋରାପୁଟ ଅଞ୍ଚଳରେ ସକ୍ରିୟ ଥିବା ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ଏବେ ଏକ ପ୍ରକାର ଲୋପ ପାଇବାକୁ ବସିଛି । ମାଓବାଦୀଙ୍କ ଲାଲସ୍ତମ୍ଭରେ ଏବେ ନାଲି ପତାକା ବଦଳରେ ପ୍ରାର୍ଥୀଙ୍କ ନିର୍ବାଚନୀ ବ୍ୟାନର ପୋଷ୍ଟର ଲାଗିଛି ।