କନକ ବ୍ୟୁରୋ : ପ୍ରେମ, କାହାକୁ କେତେ ବେଳେ କେଉଁଠି ବି ହୋଇପାରେ। ଦୁଇ ମାଓବାଦୀଙ୍କ ପ୍ରେମ କାହାଣୀ ଏବେ ମାଲକାନଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚିତ। ଜଙ୍ଗଲରେ ମାଓ ସଙ୍ଗଠନରେ କାମ କରିବା ବେଳେ ଦୁହେଁ ଦୁହିଁଙ୍କୁ ପ୍ରେମ କରି ବସିଲେ। ଜଣେ ହେଉଛନ୍ତି ଛତିଶଗଡ଼ର କଟେକଲ୍ୟାଣ ଏରିଆ କମିଟିର ଏସିଏମ ପଦରେ ଥିବା ନକ୍ସଲ ମାଡ଼ା ମାଡ଼କାମୀ(୨୨) ଏବଂ ଅନ୍ୟଜଣେ ଓଡ଼ିଶାର ମହୁପଦର ଏଲଓସି ସଦସ୍ୟା କୁମାରୀ କୁହରାନୀ ଆଇତେ(୨୬)। ଜଙ୍ଗଲରେ ପ୍ରେମ କେବେ ମଧ୍ୟ ସଫଳ ହୋଇ ପାରିବ ନାହିଁ, ଏପରିକି ସଙ୍ଗଠନରେ ଏହା ପ୍ରଘଟ ହେଲେ ଉଭୟଙ୍କୁ ଦଣ୍ଡର ଆଶଙ୍କା ମଧ୍ୟ ରହିଥିଲା। ଅତଏବ ଉଭୟ ମାଓ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ।
କଟେକଲ୍ୟାଣ ପୁଲିସ ନିକଟରେ ମାଡ଼ା ମାଡ଼କାମୀ ଆତ୍ମସମର୍ପଣ କରିବା ପରେ ସୁକମାର ତୋଙ୍ଗପାଲ ପୁଲିସ ନିକଟରେ କୁହରାନୀ ଆତ୍ମସମର୍ପଣ କରିଥିଲେ। ପୁଲିସ ଏମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ସମସ୍ତ ସୁବିଧା ପ୍ରଦାନ କରିବା ସହ ଏମାନଙ୍କର ଖୁସିକୁ ଦ୍ବିଗୁଣିତ କରିଥିଲା। ଦୁହିଁଙ୍କ ବିବାହ ଉତ୍ସବ ଦନ୍ତେୱାଡା ଠାରେ ମାହାଆଡ଼ମ୍ବରରେ ସମ୍ପନ୍ନ କରାଇଥିଲେ। ମାଡ଼ା ମାଡ଼କାମୀଙ୍କ ନାମରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିବା ବେଳେ କୁହରାନୀ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଦୁହେଁ ସଂଗଠନର ଦୁର୍ଦ୍ଦାନ୍ତ ମାଓବାଦୀ ଥିବା ବେଳେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ପୁଲିସ କହିଛି। ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଉଭୟଙ୍କୁ ପୁଲିସ ଓ ପ୍ରଶାସନ ସହଯୋଗ କରିଥିଲା। ଅବଶିଷ୍ଟ ଜୀବନ ସୁଖରେ କାଟିବା ପାଇଁ ଦୁହିଁଙ୍କୁ ଆର୍ଥିକ ସହାୟତା ଏବଂ ଜାଗା ଯୋଗାଇ ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/f8hk798fh7kfh98k7fh98k7hf98k7hf9fhkfhkfhkfhk-737x430.jpg)